କଟରା ରଶ୍ମିରଞ୍ଜନ ହତ୍ୟା ମାମଲା: ଆତ୍ମସମର୍ପଣ କଲେ ମାଷ୍ଟରମାଇଣ୍ଡ ମହାଦେବ

ତିର୍ତ୍ତୋଲ,୬ା୧୧(ଡି.ଏନ.ଏ.): ତିର୍ତ୍ତୋଲ ଥାନା ଅଧୀନ କଟରା ପଞ୍ଚାୟତ ଜଜାଙ୍ଗ ଗ୍ରାମର ରଶ୍ମିରଞ୍ଜନ ସ୍ବାଇଁ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ମହାଦେବ କାଣ୍ଡି ଥାନାରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ ତାଙ୍କୁ ପଚରାଉଚରା କରିବା ପରେ ମଙ୍ଗଳବାର ଗିରଫ କରି କୋର୍ଟଚାଲାଣ କରିଛି। ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ତିର୍ତ୍ତୋଲ ଏସଡିପିଓ ଦୀପକ କୁମାର ଜେନା ଏହି ସୂଚନା ଦେଇଛନ୍ତି।
ଏସଡିପିଓ କହିଛନ୍ତି, ଜଜାଙ୍ଗ ଗ୍ରାମର ମହାଦେବ ମୁମ୍ବାଇରେ ରହୁଥିବାବେଳେ ତାଙ୍କ ସ୍ତ୍ରୀଙ୍କୁ ରଶ୍ମିରଞ୍ଜନ ବିଭିନ୍ନ ଉପାୟରେ ହଇରାଣ କରୁଥିଲେ। ଏ ସମ୍ପର୍କରେ ମହାଦେବ ଜାଣିବା ପରେ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲେ। ଫଳରେ ରଶ୍ମିରଞ୍ଜନଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ତାଙ୍କ ସହ ମୁମ୍ବାଇରେ କାର୍ଯ୍ୟ କରୁଥିବା ବାଲିକୁଦା ଥାନା ମୂଳୁଗାଁ ଗ୍ରାମର ଅନ୍ୟତମ ଅଭିଯୁକ୍ତ ଜଗନ୍ନାଥ ଦାସଙ୍କ ସହ ରଶ୍ମିରଞ୍ଜନଙ୍କୁ ସମ୍ପୂର୍ଣ୍ଣ ରାସ୍ତାରୁ ହଟାଇଦେବା ପାଇଁ ଆଲୋଚନା କରିଥିଲା। ଜଗନ୍ନାଥ ୩ଲକ୍ଷ ଟଙ୍କା ସୁପାରି ଜରିଆରେ ରଶ୍ମିରଞ୍ଜନଙ୍କୁ ହତ୍ୟା କରିବେ ବୋଲି ରାଜି ହୋଇଥିଲେ। ଏହାପରେ ଜଗନ୍ନାଥ ମୁମ୍ବାଇରୁ ଗାଁକୁ ଫେରି ମଝିରେ ମଝିରେ ଜଜାଙ୍ଗ ଗ୍ରାମକୁ ଯାଇ ରଶ୍ମିରଞ୍ଜନଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ଏହା ମଧ୍ୟରେ ତିନୋଟି କିସ୍ତିରେ ୧ଲକ୍ଷ ୨୦ ହଜାର ଟଙ୍କା ମହାଦେବ ଜଗନ୍ନାଥଙ୍କୁ ଦେଇଥିଲେ। ସୁଯୋଗ ଦେଖି ଜଗନ୍ନାଥ ସାରଣା ଗ୍ରାମର ରାଜା ମୁଦୁଲିଙ୍କ ସହ ଅକ୍ଟୋବର ୨୨ରାତିରେ କଟରା ବଜାରରେ ପହଞ୍ଚି ରଶ୍ମିରଞ୍ଜନଙ୍କୁ ଫୋନରେ ଡାକିଥିଲେ। ରଶ୍ମିରଞ୍ଜନ ବାଇକ୍‌ରେ ଆସି ପହଞ୍ଚିବା ପରେ କଟରା ବଜାର ପୋଖରୀ ହୁଡାରେ ତିନିଜଣ ମିଶି ମଦ୍ୟପାନ କରିଥିଲେ। ରଶ୍ମିରଞ୍ଜନଙ୍କୁ ପ୍ରଚୁର ନିଶା ହେବାପରେ ପୂର୍ବରୁ ଲୁଚାଇ ରଖିଥିବା ଧାରୁଆ କଟୁରିରେ ରାଜା ତାଙ୍କ ବେକକୁ ହାଣି ହତ୍ୟା କରିଥିଲେ। ପରେ ରଶ୍ମିରଞ୍ଜନଙ୍କ ମୃତଦେହ ଓ ବାଇକକୁ ପୋଖରୀକୁ ଫିଙ୍ଗି ଦେଇଥିଲେ। ଜଗନ୍ନାଥ ଓ ରାଜା ଗିରଫ ହେବାପରେ ପୋଲିସ ଆଗରେ ଏକଥା ପ୍ରକାଶ କରିଥିଲେ।