Categories: ଖେଳ

କଟା ହାତ ସତ୍ତ୍ୱେ ଫୁଟ୍‌ବଲକୁ ଫେରିଲେ ଜ୍ୱିରେକ୍ୱି

ହରାରେ, ୨୦ା୬ (ଏଏଫ୍‌ପି)-ହାତ କଟି ଯାଇଥିଲେ ମଧ୍ୟ ଫୁଟ୍‌ବଲ ପଡ଼ିଆକୁ ଫେରିଛନ୍ତି ଜିମ୍ବୋଓ୍ବେ ଖେଳାଳି ହାର୍ଡଲାଇଫ୍‌ ଜ୍ୱିରେକ୍ୱି। ଜିମ୍ବାଓ୍ବେ ଫୁଟ୍‌ବଲ ଦଳର ଜଣେ ନିୟମିତ ସଦସ୍ୟ ହେଉଛନ୍ତି ଜ୍ୱିରେକ୍ୱି। ଗତବର୍ଷ ଏକ କାର୍‌ ଦୁର୍ଘଟଣାରେ ତାଙ୍କ ହାତ କଟିଯାଇଥିଲା। ଦୃଢମନା, ସଂକଳ୍ପ, କଠିନ ପରିଶ୍ରମ ଓ ଅଭ୍ୟାସ ବଳରେ ସେ ପୁଣି ପଡ଼ିଆକୁ ଫେରିବାରେ ସଫଳ ହୋଇଛନ୍ତି। ଖବର ଅନୁସାରେ ସମ୍ମୁଖ ଭାଗରୁ ଦ୍ରୁତ ବେଗରେ ଆସୁଥିବା ଏକ ଗାଡ଼ି ସହିତ ଧକ୍କାକୁ ଏଡାଇବାକୁ ଯାଇ ତାଙ୍କ କାର୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଯେଉଁଥିରେ ତାଙ୍କ ବାମ ହାତର ଏକ ଅଂଶ କଟି ଯାଇଥିଲା। ଜ୍ୱିରେକ୍ୱି କହିଛନ୍ତି, ଅଧିକାଂଶ ମନେ କରିଥିଲେ ମୋର କ୍ୟାରିୟରର ପରିସମାପ୍ତି ଘଟିଲା। ମାତ୍ର ମୁଁ ଏଥିରେ ବିଚଳିତ ନ ହୋଇ ମୋ ପ୍ରିୟ ଖେଳକୁ କିପରି ପ୍ରତ୍ୟାବର୍ତ୍ତନ କରିବି ସେ ନେଇ ପ୍ରଚେଷ୍ଟା କରିଥିଲି। ଇଜିପ୍ଟରେ ଆଫ୍ରିକା କପ୍‌ ଅପ୍‌ ନେଶନ୍ସ ଟୁର୍ନାମେଣ୍ଟରେ ମୁଁ ପୂର୍ବତନ ଟିମ୍‌ମେଟ୍‌ଙ୍କ ଖେଳ ଉପରେ ନଜର ରଖିଥିଲି। ଅଙ୍ଗ ହରାଇବା ପରେ ନୂଆ ତରିକାରେ କିପରି ଖେଳିବାକୁ ହେବ ମୋତେ ଶିଖିବାକୁ ହୋଇଥିଲା। ପୁଟ୍‌ବଲ ଏପରି ଏକ ଖେଳ ଯେଉଁଥିରେ ଦୁଇ ହାତ ସନ୍ତୁଳନ ରକ୍ଷା କରିବାକୁ ପଡ଼ିଥାଏ। ବାଲାନ୍ସ ବ୍ୟତୀତ, ବଲ୍‌ ଟ୍ୟାକଲ କରିବା ଏବଂ ତଳେ କିପରି ସୁରକ୍ଷିତ ଭାବେ ପଡ଼ିବାକୁ ହେବ ଏସବୁ ଶିଖିବା ଲାଗି ମୋତେ ୫ ମାସ ସମୟ ଲାଗିଗଲା। ନୂଆ ରୂପରେ ଖେଳିବା କୌଶଳ ହାସଲ କରିବା କ୍ଷେତ୍ରରେ ଡାକ୍ତର, ଫିଜିଓଥେରାପିଷ୍ଟ ଏବଂ ଫିଟ୍‌ନେସ ଟ୍ରେନରମାନଙ୍କ ଯଥେଷ୍ଟ ଅବଦାନ ରହିଛି ବୋଲି ସେ କହିଛନ୍ତି।

Share