କଟୁ ଭାଷାରେ ଗାଳି କରୁଥିଲେ ପ୍ରଫେସର

ସମ୍ବଲପୁର,୨୭ା୮(ଶୁଭାଶିଷ ପାଢ଼ୀ)ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଜଣେ ମହିଳା ସହକାରୀ ପ୍ରଫେସର ତାଙ୍କ ସହକର୍ମୀ ତଥା ସହକାରୀ ପ୍ରଫେସର ରଜତ କୁଜୁରଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ବିଶ୍ୱବିଦ୍ୟାଳୟ ଶୃଙ୍ଖଳା କମିଟି ନିକଟରେ ସେ ଏହି ଅଭିଯୋଗ କରିବା ପରେ ୯ଜଣିଆ କମିଟି ଏହାର ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, ମହିଳା ସହକାରୀ ପ୍ରଫେସର ୨୦୧୬ ମସିହାରେ ବିଭାଗରେ ଯୋଗଦେବା ଦିନଠାରୁ କୌଣସି କାରଣରୁ ପ୍ରଫେସର କୁଜୁର ତାଙ୍କୁ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଅଫିସ ସମୟରେ ମଧ୍ୟ କଟୁ ମନ୍ତବ୍ୟ ଦେଇଆସୁଛନ୍ତି। ଏପରି କି ଅକ୍ଷମ ବୋଲି କହି ଗାଳି କରିଥିଲେ। ମହିଳା ପ୍ରଫେସର ବିଭାଗର ସଂଯୋଜକ ଭାବରେ ନିଯୁକ୍ତ ହେବାର ନିଷ୍ପତ୍ତି ଉପରେ ମଧ୍ୟ ସେ ଅଧିକାରୀମାନଙ୍କୁ ପ୍ରଶ୍ନ କରିଥିଲେ। ନିକଟରେ ତାଙ୍କ ଅଫିସ ଚାମ୍ବରର ଏୟାର କଣ୍ଡିସନର ମରାମତି ନେଇ କୁଜୁର ତାଙ୍କ ସହ କଟୁ ଭାଷାରେ କଥା ହୋଇଥିଲେ। କୁଜୁର ପୂର୍ବରୁ ନିଲମ୍ବିତ ହୋଇଥିବାବେଳେ ବିଭାଗ ସୁରୁଖୁରୁରେ ଚାଲୁଥିଲା। ନିଲମ୍ବନ ସମୟରେ ସେ କର୍ତ୍ତୃପକ୍ଷଙ୍କୁ ଅବମାନନାକରି ବିଭାଗକୁ ଆସି ବିଶୃଙ୍ଖଳା ସୃଷ୍ଟି କରୁଥିଲେ। ନିଲମ୍ବନ ପ୍ରତ୍ୟାହାର ପରେ ବିଭାଗ ପୁନର୍ବାର ଅସୁରକ୍ଷିତ ହୋଇପଡ଼ିଛି। ଦୁର୍ବ୍ୟବହାର ପରିମାଣ ଆହୁରି ବଢ଼ିଯାଇଛି। ମହିଳା ପ୍ରଫେସର ଆହୁରି କହିଛନ୍ତି, ବିଭାଗରେ ଏପରି ନିଶାସକ୍ତ ପରିବେଶରେ କାର୍ଯ୍ୟ କରିବା ପାଇଁ ସେ ଜଣେ ମହିଳା କର୍ମଚାରୀ ଭାବରେ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି। ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ବି.ବି. ମିଶ୍ର କହିଛନ୍ତି, ଏହି ମାମଲା ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ ପଠାଯାଇଛି। ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ନୃପରାଜ ସାହୁ କହିଛନ୍ତି, ମହିଳା ପ୍ରଫେସର ଲିଖିତ ଅଭିଯୋଗ କରିବା ପରେ ୯ଜଣ ସଦସ୍ୟଙ୍କୁ ନେଇ ଗଠିତ ଆଭ୍ୟନ୍ତରୀଣ କମିଟି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଗଷ୍ଟ ୨୮ ସୁଦ୍ଧା କମିଟି ରିପୋର୍ଟ ଦେବ। ରିପୋର୍ଟ ଆଧାରରେ ବୈଠକ ହେବ ଓ କମିଟିର ସୁପାରିସ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ପ୍ରଫେସର କୁଜୁର ଏହି ଅଭିଯୋଗକୁ ଅସ୍ବୀକାର କରି କହିଛନ୍ତି, ମୋ ବିରୋଧରେ ହୋଇଥିବା ଅଭିଯୋଗ ବିଷୟରେ ମୁଁ ଅବଗତ ନୁହେଁ ା ଅଭିଯୋଗ ସମ୍ପର୍କରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ମୋ ସହ ଯୋଗାଯୋଗ କରିନାହାନ୍ତି ବୋଲି ସେ କହିଛନ୍ତି।