Categories: ରାଜ୍ୟ

କଠିନ ପରିଶ୍ରମ କରାଇଛି ସଫଳ: ଦିନ ମଜୁରିଆରୁ ଫ୍ୟାକ୍ଟ୍ରି ମାଲିକ

ବନ୍ତଳା,୩ା୭ – ୩୦ ବର୍ଷ ତଳେ ମଜୁରି ଖଟୁଥିବା ମଣିଷ ଆଜି ଦୁଇ ଦୁଇଟି ଫ୍ୟାକ୍ଟ୍ରିର ମାଲିକ। ୧୫ ଶ୍ରମିକଙ୍କ ସେ ନିଯୁକ୍ତିଦାତା। ଦିନକୁ ଲକ୍ଷାଧିକ ଟଙ୍କାର ବ୍ୟବସାୟ କରୁଥିବା ବେଳେ ଏବେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବିକ୍ରି ସାମଗ୍ରୀ ଦୁଇ ଫ୍ୟାକ୍ଟ୍ରିରେ ରଖିଛନ୍ତି। କଠିନ ପରିଶ୍ରମ ଓ ଆଗକୁ ବଢ଼ିବାର ଆତ୍ମବିଶ୍ୱାସ ନେଇ ଏହାକୁ ସମ୍ଭବ କରିପାରିଛନ୍ତି ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ଗ୍ରାମର ମେହେଶ୍ୱର ସାହୁ ଓରଫ ମହି (୪୨)।
ଗାଁ ସ୍କୁଲରେ ଅଷ୍ଟମ ଯାଏ ପଢିଥିବା ମହି ମାତ୍ର ୧୩ ବର୍ଷ ବୟସରେ ୧୯୮୯ରେ ଏକ ଟାଇଲ ଫ୍ୟାକ୍ଟ୍ରିରେ କାମ ଆରମ୍ଭ କରିଥିଲେ। ସେତେବେଳେ ତାଙ୍କ ଦିନକର ପାରିଶ୍ରମିକ ଥିଲା ମାତ୍ର ୬ ଟଙ୍କା। ସେଠାରେ ଦୁଇ ବର୍ଷ ଶ୍ରମିକ ଭାବେ ଖଟିବା ପରେ ସେ ମିସ୍ତ୍ରି ହେବାକୁ ଉଦ୍ୟମ କରିଥିଲେ। ୧୯୯୧ରେ ଆଉ ଏକ ଟାଇଲ ଫ୍ୟାକ୍ଟ୍ରିରେ ସେ ମିସ୍ତ୍ରି ଭାବେ ଯୋଗଦେଇ ଦିନକୁ ୨୦ ଟଙ୍କା ରୋଜଗାର କଲେ। ପରେ ଢେଙ୍କାନାଳ ଓ ବନ୍ତଳାରେ ଥିବା ଟାଇଲ ଫ୍ୟାକ୍ଟ୍ରିରେ ୪ ବର୍ଷ ମିସ୍ତ୍ରି କାମ କରି ଟାଇଲ, ରିଙ୍ଗ, ଫୁଲ କୁଣ୍ଡ ନିର୍ମାଣରେ ଭଲ ନାମ ଅର୍ଜନ କରିପାରିଲେ। ଏହାପରେ ନିଜେ ଏକ ଟାଇଲ ଫ୍ୟାକ୍ଟ୍ରି କରିବାକୁ ଇଚ୍ଛା କରି ସେ ଦିଗରେ ଉଦ୍ୟମ କଲେ। ନିଜ ସଞ୍ଚୟ ୧୨ ହଜାର ଟଙ୍କାକୁ ପୁଞ୍ଜି କରି ୧୯୯୭ରେ ବନ୍ତଳା ପୋକତୁଙ୍ଗାରେ ଏକ ଫ୍ୟାକ୍ଟ୍ରି ଖୋଲିବାରେ ମହି ସଫଳ ହେଲେ। ସେଠାରେ ଟାଇଲ ସହ ସିମେଣ୍ଟରେ ଫୁଲ କୁଣ୍ଡ, ସ୍କଇଲାଇଟ ଆଦି ତିଆରି କରି ବିକ୍ରି କଲେ। ଭଲ କାର୍ଯ୍ୟ ଜାଣିଥିବାରୁ ତାଙ୍କ ବ୍ୟବସାୟ ଧୀରେ ଧୀରେ ଆଗକୁ ବଢ଼ିଲା। ପୋକତୁଙ୍ଗାରେ ୬ ବର୍ଷ ରହିବା ପରେ ଶଙ୍ଖପୁର ଗ୍ରାମରେ ଘର ନିର୍ମାଣ କରି ସେଠାକୁ ଫ୍ୟାକ୍ଟ୍ରି ସ୍ଥାନାନ୍ତର କଲେ। ୨୦୧୪ ସେ ବଡକେରାରେ ଆଉ ଏକ ଟାଇଲ ଫ୍ୟାକ୍ଟ୍ରି ଖୋଲିଲେ। ଏବେ ଶଙ୍ଖପୁରରେ ୮ ଜଣ ଓ ବଡକେରା ଫ୍ୟାକ୍ଟ୍ରିରେ ୭ ଜଣ ମିସ୍ତ୍ରି, ଶ୍ରମିକଙ୍କୁ ସେ ନିଯୁକ୍ତି ଦେଇଛନ୍ତି। ବ୍ୟାଙ୍କରୁ ସେ ୧୫ ଲକ୍ଷ ଟଙ୍କାର ଋଣ କରିଥିବା ବେଳେ ଏବେ ତାଙ୍କ ନିକଟରେ ଗୋଟିଏ ପିକ୍‌ଅପ୍‌ ଭ୍ୟାନ ଓ ଗୋଟିଏ କାର ରହିଛି। କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକ୍ରି ସାମଗ୍ରୀ ଓ ଛାଞ୍ଚ ରହିଛି। ଢେଙ୍କାନାଳ ତୁମୁସିଙ୍ଗାର ମାମିଙ୍କୁ ସେ ବିବାହ କରିଥିବା ବେଳେ ସ୍ତ୍ରୀ ମଧ୍ୟ ଫ୍ୟାକ୍ଟ୍ରି କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଛନ୍ତି। ନିଜ ଉପରେ ବିଶ୍ୱାସ ରଖି କାମ କରୁଥିବାରୁ ଏହି ସଫଳତା ମିଳିପାରିଥିବା ମହି ପ୍ରକାଶ କରିଛନ୍ତି।

(ଦୀନେଶ କୁମାର ଦେହୁରୀ)

Share