କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରି-ବିଡିଂ ବୈଠକ: ‘କମ୍ପାନୀ ହାତକୁ ଯିବାକୁ ଲାଗିବ ୨ ମାସ’

କଟକ ଅଫିସ,୧୯।୧୨: କଟକ ମହାନଗର ନିଗମ(ସିଏମ୍‌ସି)ର କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଆହୁତ ଗ୍ଲୋବାଲ ଟେଣ୍ଡରର ବୁଧବାର ପ୍ରି-ବିଡିଂ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭ଟି କମ୍ପାନୀର ପ୍ରାୟ ୧୨ଜଣ ପ୍ରତିନିଧି ଯୋଗଦେଇଥିଲେ। ଆସନ୍ତା ୧୪ତାରିଖରେ ଟେକ୍ନିକାଲ ବିଡ୍‌ ବୈଠକ ଅନୁଷ୍ଠିତ ହେବ। ତେବେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଦାୟିତ୍ୱ କେଉଁ କମ୍ପାନୀ ହାତକୁ ଯିବ ତାହା ଆଉ ଦୁଇମାସ ଲାଗିବ ବୋଲି ସିଏମ୍‌ସି ଡେପୁଟି କମିଶନର ସଞ୍ଜିବିତା ରାୟ କହିଛନ୍ତି। ସୂଚନାଥାଉ କି, ରାମ୍‌କୀ ନାମକ ଏକ ସଂସ୍ଥା କଟକ ସହରର ସଫେଇ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଦାୟିତ୍ୱ ୨୦୧୧ରେ ନେଇଥିଲା। ୨୦୧୬ରେ ଏହାର ଅବଦ୍ଧି ଶେଷ ହୋଇଥିଲା। ତେବେ ପୁନର୍ବାର ଟେଣ୍ଡର ହୋଇ ନ ପାରିବାରୁ ଏହି ସଂସ୍ଥାର ଚୁକ୍ତିକୁ ୨ବର୍ଷ ବୃଦ୍ଧି କରାଯାଇଥିଲା। ମାତ୍ର ରାମ୍‌କୀ ଏଥିରୁ ଓହରି ଯିବାରୁ ବିବିଜି ମେଟାଲ୍ସ ସିଣ୍ଡିକେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯାଇଛି। ଏକ ସ୍ବଳ୍ପ ମିଆଦ ସର୍ତ୍ତରେ ୨୦୧୮ରୁ ଆଜି ପର୍ଯ୍ୟନ୍ତ ବିବିଜି ମେଟାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଏହି କାର୍ଯ୍ୟ କରିଆସୁଥିଲାବେଳେ ଗତ ନଭେମ୍ବର ୨୮ରେ ଗ୍ଲୋବାଲ ଟେଣ୍ଡର ଡକାଯାଇଥିଲା। ଟେଣ୍ଡର ସର୍ତ୍ତାବଳୀ ଅନୁଯାୟୀ, ସିଏମ୍‌ସିକୁ ୪ଟି ଜୋନରେ ବିଭକ୍ତ କରାଯାଇଛି। ଜୋନ୍‌ ୧ରେ ୧୮ ୱାର୍ଡ, ଜୋନ୍‌ ୨ରେ ୧୭ ୱାର୍ଡ, ଜୋନ୍‌ ୩ରେ ୧୮ ୱାର୍ଡ, ଜୋନ୍‌ ୪ରେ ୬ ୱାର୍ଡ ସହିତ ସତୀଚୌରା ଡମ୍ପିଂୟାର୍ଡ ଓ ବାଙ୍କୀର ଚକ୍ରଧରପୁର ଡମ୍ପିଂୟାର୍ଡ ଅନ୍ତର୍ଭୁକ୍ତ। ଏହି ଜୋନ୍‌ଗୁଡିକ ପାଇଁ ଟେଣ୍ଡରରେ ଭାଗ ନେଉଥିବା କମ୍ପାନୀମାନେ ଇଏମଡି ବାବଦକୁ ଯଥାକ୍ରମେ ୯ଲକ୍ଷ ୭୫ହଜାର, ୯ଲକ୍ଷ ୧ହଜାର, ୯ଲକ୍ଷ ୭୨ହଜାର ଓ ୫ଲକ୍ଷ ୬୨ହଜାର ଅର୍ଥ ଜମା କରିବେ। ସେହିପରି ମାତ୍ରାଧିକ ଗୋଟିଏ କମ୍ପାନୀ ଦୁଇଟି ଜୋନ୍‌ର ପରିଚାଳନା ଦାୟିତ୍ୱ ନେଇ ପାରିବେ ବୋଲି ସର୍ତ୍ତରେ ଉଲ୍ଲେଖ ରହିଛି। ପ୍ରି-ବିଡିଂ ବୈଠକରେ ଟେଣ୍ଡର ସର୍ତ୍ତାବଳୀରେ କେତେକ ତ୍ରୁଟି ରହିଥିବା ବିଶେଷଜ୍ଞମାନେ ଆଲୋଚନାବେଳେ ଜାଣି ପାରିଥିଲେ। ଫଳରେ ଖୁବ୍‌ଶୀଘ୍ର ଏଥିରେ କେତେକ ସର୍ତ୍ତରେ ପରିବର୍ତ୍ତନ ହେବ ବୋଲି କୁହାଯାଉଛି।

Share