କଡ଼ାକଡ଼ି ହେବ ଯାଞ୍ଚ: ପ୍ରଥମ ଦିନରେ ମାସ୍କ ବାଣ୍ଟିଲା, ବୁଝାଇଲା ପୋଲିସ

ଭୁବନେଶ୍ୱର,୯ା୪(ବ୍ୟୁରୋ)- ବାୟୁ ଦ୍ୱାରା ମଧ୍ୟ ଘାତକ ଭୂତାଣୁ କୋଭିଡ୍‌-୧୯ ଅନ୍ୟକୁ ସଂକ୍ରମଣ ହେବାର ସମ୍ଭାବନା ରହିଛି। ତେଣୁ ଗୁରୁବାରଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ଏହାକୁ କଡାକଡି ପାଳନ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପ୍ରଥମ ଦିନରେ ଏହି ନିୟମକୁ କିଛି ମାନିଥିବାବେଳେ ଆଉକିିଛି ଅମାନିଆ ହୋଇଥିଲେ। କିନ୍ତୁ ପୂର୍ବଦିନ ଅପେକ୍ଷା ଅଧିକାଂଶ ମାସ୍କ, ରୁମାଲ କିମ୍ବା କପଡ଼ାରେ ମୁହଁକୁ ଢାଙ୍କି ଯିବାଆସିବା କରୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ କମିଶନରେଟ ପୋଲିସ ପକ୍ଷରୁ ସହରର ବିଭିନ୍ନ ଛକରେ ଯାଞ୍ଚ କରାଯାଇଥିଲା। ରାଜମହଲ, ଶିଶୁଭବନ, ଏଜି, ଜୟଦେବ ବିହାର, କଳ୍ପନା, ପଟିଆ ଆଦି ପ୍ରମୁଖ ଛକରେ ବହୁଲୋକ ଧରାପଡିଥିଲେ। ଯେଉଁମାନେ ମାସ୍କ ପିନ୍ଧି ନ ଥିଲେ ସେମାନଙ୍କୁ ପୋଲିସ ଅଟକାଇଥିଲା। ଅଧିକାଂଶ ଏ ବିଷୟରେ ଜାଣି ନ ଥିବା କହିବାରୁ ପୋଲିସ ମାସ୍କ ପିନ୍ଧିବାର ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ବୁଝାଇ ଛାଡ଼ିଥିଲା। ନିୟମ ଲାଗୁ ହେବାର ପ୍ରଥମ ଦିନ ହୋଇଥିବାରୁ ପୋଲିସ କୌଣସି ଆଖି ଦୁଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଏଣିକି କିନ୍ତୁ ଆଉ ଖସି ପାରିବେନି ଉଲ୍ଲଂଘନକାରୀ। ଶୁକ୍ରବାରଠାରୁ ଯାଞ୍ଚକୁ କଡାକଡି କରାଯିବ। ଯେଉଁମାନେ ମାସ୍କ ପିନ୍ଧି ନ ଥିବେ ଜରିମାନା ଗଣିବେ। ୩ଥର ପର୍ଯ୍ୟନ୍ତ ୨ଶହ ଟଙ୍କା ଓ ଏହାପରଠାରୁ ୫ଶହ ଟଙ୍କା ଲେଖାଏ ଜରିମାନା ଆଦାୟ କରାଯିବ। ଉଲ୍ଲଂଘନକାରୀଙ୍କ ସମସ୍ତ ତଥ୍ୟ ବିଭାଗୀୟ ଇଲେକ୍ଟ୍ରୋନିକ୍ସ ଡିଭାଇସ୍‌ରେ ଉପଲବ୍ଧ ରହିବ। କିଏ କେତେଥର ନିୟମ ଉଲ୍ଲଂଘନ କରିଛି ତାହା ସଙ୍ଗେ ସଙ୍ଗେ ଜଣାପଡିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସବୁଠୁ ବଡ଼ କଥା ହେଲା ପ୍ରଥମ ଦିନ ହୋଇଥିବାରୁ ପୋଲିସ ବୁଲି ବୁଲି ପରିବା ବେପାରି ଓ ଅନ୍ୟ ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ନିବେଦନ କରିବା ସହ କରୋନା ସମ୍ପର୍କରେ ସଚେତନ କରିଥିଲଶ। ଏପରି କି ବିଭିନ୍ନ ସ୍ଥାନରେ ପୋଲିସ ଲୋକଙ୍କୁ ମାଗଣାରେ ମାସ୍କ ବାଣ୍ଟୁଥିବା ଦେଖିବାକୁ ମିଳିଥିଲା। ପୋଲିସର ଏଭଳି କାର୍ଯ୍ୟକୁ ଅନେକେ ସ୍ବାଗତ ସହ ପ୍ରଶଂସା କରିଥିଲେ।

Share