ମୁମ୍ବାଇ: ବଲିଉଡ୍ ଅଭିନେତା ସଲ୍ମାନ ଖାଁ ଓ ଆଲିଆ ଭଟ୍ଟଙ୍କ ଅପ୍ କମିଂ ଫିଲ୍ମ ଇଂଶାଅଲ୍ଲାହର ଖୁବ୍ଶୀଘ୍ର ଶୁଟିଂ ଆରମ୍ଭ ହେବାକୁ ଯାଉଛି। ଏହାର ଶୁଟିଂ ପାଇଁ ୩ଟି ସ୍ଥାନ ନିର୍ଦ୍ଦିଷ୍ଟ କରାଯାଇଥିବା ବେଳେ ଶୁଟିଂ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ସଲ୍ମାନ ଓ ଆଲିଆ ଉଭୟ ଜଣାଶୁଣା ଷ୍ଟାର ହୋଇଥିବା ଯୋଗୁ ଏଭଳି ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। କାରଣ ଦୁହିଁଙ୍କୁ ଅତି ସହଜରେ ଲୋକେ ଚିହ୍ନି ପାରିବେ। ତେବେ ଏହାକୁ ଦୃଷ୍ଟିରେ ରଖି ସଞ୍ଜୟ ଲୀଲା ଭଂସାଲି ଉଚ୍ଚସ୍ତରୀୟ ନିରାପତ୍ତା ବ୍ୟବସ୍ଥା କରିଛନ୍ତି। ଉତ୍ତର ଭାରତର ବାରାଣସୀକୁ ଚୟନ କରାଯାଇଥିବା ବେଳେ ଉତ୍ତରାଖଣ୍ଡରେ ମଧ୍ୟ ଫିଲ୍ମର ଗୁରୁତ୍ୱପୂର୍ଣ୍ଣ ସିନ୍ ଶୁଟିଂ କରାଯିବ। ସେହିପରି ବିଦେଶରେ ଶୁଟିଂ ପାଇଁ ମିଆମୀ ଓ ଅର୍ଲାଣ୍ଡୋ ସମୁଦ୍ରକୂଳକୁ ଚୟନ କରାଯାଇଛି। ବିଦେଶରେ ମଧ୍ୟ ଶୁଟିଂ ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଏହି ଫିଲ୍ମରେ ସଲ୍ମାନ ଜଣେ ୪୦ ବର୍ଷୀୟ ବୟସ୍କଙ୍କ ଭୂମିକାରେ ନଜରକୁ ଆସିବେ। ଏଥିରେ ତାଙ୍କୁ ଷ୍ଟାଇଲିଷ୍ଟ ଲୁକରେ ପ୍ରଶଂସକ ଦେଖିପାରିବେ। ଏହି ଫିଲ୍ମର ଶୁଟିଂ ଅଗଷ୍ଟ ଶେଷ ସପ୍ତାହରେ ଆରମ୍ଭ ହେବ ବୋଲି ସୂଚନା ମିଳିଛି।