କଣାସରେ ୭୦ ଦିନ ଧରି ଡାକ ସେବା ଅଚଳ

କଣାସ, ୧୨।୭(ସ୍ବ.ପ୍ର.): କଣାସ ମୁଖ୍ୟ ପୋଷ୍ଟଅଫିସ୍‌ ୭୦ଦିନ ଧରି ଅଚଳ ହୋଇ ପଡିଛି। ଫଳରେ ପୋଷ୍ଟଅଫିସ୍‌ରେ ଟଙ୍କା ଜମା କରିବା, ଟଙ୍କା ଉଠାଇବା, ରେଜେଷ୍ଟ୍ରି ଚିଠି, ମନି ଅର୍ଡର ଆଦି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ଦିନକୁ ଦିନ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଫନୀ ପରେ ବିଦ୍ୟୁତ୍‌ ସରବରାହ ବନ୍ଦ ହୋଇଯିବାରୁ କମ୍ପ୍ୟୁଟର ଅଚଳ ହୋଇପଡିଥିଲା। ଦୁଇ ମାସପରେ ଜୁଲାଇ ୩ ତାରିଖରେ ବିଦ୍ୟୁତ୍‌ ସଂଯୋଗ ହୋଇଥିଲା। ଦୁଇମାସ ପୋଷ୍ଟଅଫିସ୍‌ କାର୍ଯ୍ୟ ବନ୍ଦ ରହିବା ପରେ ମାତ୍ର ଦୁଇ ଦିନ କାର୍ଯ୍ୟ ହୋଇ ପରେ କମ୍ପ୍ୟୁଟର ପୋଡିଯିବାରୁ ପୋଷ୍ଟଅଫିସ୍‌ କାର୍ଯ୍ୟ ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। କଣାସ ମୁଖ୍ୟ ପୋଷ୍ଟଅଫିସ୍‌ ଅଧୀନରେ ବିଭିନ୍ନ ଗ୍ରାମରେ ୧୫ଟି ଉପଡାକଘର ରହିଛି। ସେହି ସବୁ ଡାକଘର ମଧ୍ୟ ୭୦ ଦିନ ହେଲା ଅଚଳ ହୋଇପଡିଥିବାରୁ ଜନସାଧାରଣ କର୍ମଚାରୀଙ୍କୁ ଗାଳିଗୁଲଜ କରୁଛନ୍ତି। ଏ ସମ୍ପର୍କରେ କଣାସ ମୁଖ୍ୟ ପୋଷ୍ଟ ମାଷ୍ଟର ଜୟ କିସାନ ବାରିକଙ୍କୁ ପଚାରିବାରୁ ବାତ୍ୟା ପାଇଁ ଦୁଇ ମାସ ଅଚଳ ହେବାପରେ କମ୍ପ୍ୟୁଟର କାର୍ଯ୍ୟକ୍ଷମ ହୋଇ ମାତ୍ର ୨ଦିନ ଚାଲି ପୋଡିଯାଇଛି। ସେବେଠୁ ପୋଷ୍ଟଅଫିସ୍‌ କାର୍ଯ୍ୟ ବନ୍ଦ ରହିଛି। ଏସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛି। ମାତ୍ର ୮ଦିନ ବିତିଥିଲେ ବି କୌଣସି ପଦକ୍ଷେପ ନେଇନାହାନ୍ତି ଫଳରେ ଜନସାଧାରଣ ଅସନ୍ତୁଷ୍ଟୁ ହେଉଛନ୍ତି ବୋଲି କହିଥିଲେ।

Share