କଣାସ : ୧୨ ଗାଁ ଜଳମଗ୍ନ

କଣାସ,୧୨।୯(ସ୍ବ.ପ୍ର./ ଡି.ଏନ୍‌.ଏ.): ଉପରମୁଣ୍ଡରେ ବନ୍ୟାଜଳ ନିଷ୍କାସନ ପରେ ତଳମୁଣ୍ଡର ଅଧିକାଂଶ ଗ୍ରାମ ଜଳମଗ୍ନ ହୋଇଯାଇଛି। ପୁରୀ ଜିଲା କଣାସ ବ୍ଲକରେ ଗତ ଦୁଇଦିନ ଧରି ବନ୍ୟାଜଳର ପ୍ରଭାବ ବଢୁଥିବାରୁ ଦୋକନ୍ଦା, ବଡାସ, ଗଡବଳଭଦ୍ରପୁର ପଞ୍ଚାୟତର ୧୨ଟି ଗ୍ରାମ ଏବେ ସମ୍ପୂର୍ଣ୍ଣ ଜଳବନ୍ଦୀ। ପ୍ରାୟ ରାସ୍ତା ସବୁ ବୁଡିଯାଇଥିବାରୁ ଗମନାଗମନ ବିଚ୍ଛିନ୍ନ ହୋଇଯିବା ସହ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ମଙ୍ଗଳବାର ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ତହସିଲଦାର ଉମାକାନ୍ତ ରାଉତ ବନ୍ୟାଞ୍ଚଳ ବୁଲି ଦେଖିବା ସହ ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ପରେ ବନ୍ୟା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଜିଲପାଳଙ୍କୁ ଜଣାଇଥିତ୍ବା ତହସିଲଦାର କହିଛନ୍ତି। ବିଧାୟକ ସାମନ୍ତରାୟ ଗଡବଳଭଦ୍ରପୁର, ବଡାସ, ବାଲିପାଟଣା, ଦୋକନ୍ଦା, ତରପଡା, ଦୋକନ୍ଦା ଆଦି ଗ୍ରାମ ବୁଲିବା ସହ ରେଡକ୍ରସ୍‌ ତରଫରୁ ପ୍ରାୟ ୭ ଶହ ପରିବାରକୁ ରିଲିଫ୍‌ ବଣ୍ଟନ କରିଛନ୍ତି। ଏହାସହ ଏହି ସମସ୍ୟାର ପ୍ରତିକାର ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି। ବଡାସ ପଞ୍ଚାୟତରେ ଡଙ୍ଗା ଓ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ପଞ୍ଚାୟତ ତରଫରୁ ରନ୍ଧାଖାଦ୍ୟ ବଣ୍ଟାଯାଇଥିଲା। ଗ୍ରାମଗୁଡିକ ଜଳମଗ୍ନ ହୋଇଯାଇଥିବାରୁ ଦୋକନ୍ଦା ପ୍ରାଥମିକ ବିଦ୍ୟାଳୟ, ବୈଦ୍ୟନାଥପାଟଣା, ତରପଡା, ନାନକେରା, କଣାସ, ବଡାସ ବିଦ୍ୟାଳୟଗୁଡିକରେ ପାଠପଢା ବନ୍ଦ ରହିଛି । ବର୍ତ୍ତମାନ ଦୟାନଦୀ ବିପଦ ସଙ୍କେତ ୩.୯୯ ମିଟର ଟପି ୫.୩୫ରେ ପହଞ୍ଚତ୍ଛି । କେତେକ ସ୍ଥାନରେ ଗଳିଆ ଥିବାରୁ ସେଗୁଡିକ ବାଲିବସ୍ତା ପକାଇ ବନ୍ଧାଯାଇଥିବାରୁ ଏବେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ହୋଇପାରିବ ବୋଲି ସହକାରୀ ଯନ୍ତ୍ରୀ ମକରା ବେହେରା କହିଛନ୍ତି । ବିଧାୟକଙ୍କ ସହିତ ପଞ୍ଚାୟତ ସମିତି ଅଧ୍ୟକ୍ଷ ରମେଶ ଚନ୍ଦ୍ର ସେଠୀ, ବ୍ଲକ ଯୁବ ବିଜେଡି ସଭାପତି ବସନ୍ତ କୁମାର ଜେନା, ଭିକାରୀ ବଳିୟାରସିଂହ, ଈଶ୍ୱର ହରିଚନ୍ଦନ, ସନ୍ତୋଷ ସାମନ୍ତରାୟ, ଚନ୍ଦ୍ରମଣୀ ରାଉତରାୟ, ସମିତି ସଭ୍ୟ ସାଗର ବେହେରା, ମେଘନାଦ ଛୋଟରାୟ, ହରିଭୋଳ ପ୍ରମୁଖ ବ୍ଯଯାଅଞ୍ଚଳ ବୁଲିଥିଲେ ।
ସେହିପରି ଭାଜପା ନେତା ଓମ୍‌ ପ୍ରକାଶ ମିଶ୍ର, ସରପଞ୍ଚ ସଂଗ୍ରାମ ପାଇକରାୟ ପ୍ରମୁଖ ଗଡବଳଭଦ୍ରପୁର ପଞ୍ଚାୟତର ବନ୍ୟା ପ୍ରଭାବିତ ଗାଁ ବୁଲି ଥିଲେ।

Share