କଣିହାଁ ଏନ୍‌ଟିପିସିରେ କୋଇଲା ସଙ୍କଟ : ବନ୍ଦ ହେଲା ୩ ୟୁନିଟ୍‌

ତାଳଚେର,୨୯।୭(ନି.ପ୍ର.): ଅନୁଗୋଳ ଜିଲା ତାଳଚେରର କଣିହାଁସ୍ଥିତ ୩ ହଜାର ମେଗାୱାଟ୍‌ ବିଶିଷ୍ଟ ମହାରତ୍ନ କମ୍ପାନୀ ଏନ୍‌ଟିପିସି ବିଦ୍ୟୁତ ପ୍ରକଳ୍ପରେ ଘୋର କୋଇଲା ସଙ୍କଟ ଦେଖାଦେଇଛି। ଏବେ ଏନ୍‌ଟିପିସି ପାଖରେ ଅଧାଦିନର କୋଇଲା ମହଜୁଦ ରହିଛି। ଯାହା ବିଭାଗୀୟ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥାକୁ ବଢ଼ାଇ ଦେଇଛି। ଏବେ ଏଭଳି ପରିସ୍ଥିତି ହୋଇଛି କର୍ତ୍ତୃପକ୍ଷ ବାଧ୍ୟ ହୋଇ ୩ଟି ୟୁନିଟ୍‌କୁ ରବିବାରଠାରୁ ବନ୍ଦ କରିଦେଇଛନ୍ତି। ଅନ୍ୟପକ୍ଷରେ ସମସ୍ତ ୟୁନିଟ୍‌ ବନ୍ଦ ହେଲେ ଓଡ଼ିଶା ସମେତ ଦକ୍ଷିଣ ଭାରତ,ପୂର୍ବଭାରତ ଓ ଉତ୍ତରଭାରତର ୧୭ଟି ରାଜ୍ୟକୁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେବ। ଏବେ ଉପତ୍ାଦିତ ବିଦ୍ୟୁତକୁ ଭାଗ ବଣ୍ଟା କରି ବିଭିନ୍ନ ରାଜ୍ୟକୁ ଦିଆଯାଉଛି। ତେବେ ଏଭଳି ପରିସ୍ଥିତି ବାରମ୍ବାର ଲାଗି ରହୁଥିଲେ ହେଁ ବିଭାଗୀୟ ଅଧିକାରୀମାନେ କାହିଁକି ଆଗୁଆ ଏବଂ କୌଣସି ସ୍ଥାୟୀ ପ୍ରତିକାର କରୁନାହାନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଓ ଅବହେଳାକୁ ମଧ୍ୟ ଏ ଦିଗରେ ଅଣଦେଖା କରାଯାଇ ନ ପାରେ।
କଣିହାଁରେ ରହିଛି ୩ ହଜାର ମେଗାୱାଟ୍‌(୫ଶହ ମେଗାୱାଟ ବିଶିଷ୍ଟ) ୬ଟି ୟୁନିଟ। ଏହି ପ୍ରକଳ୍ପ ପାଇଁ ଦୈନିକ ୫୫ ହଜାର ମେଟ୍ରିକ ଟନ୍‌ କୋଇଲା ଆବଶ୍ୟକ ହୋଇଥାଏ। କଣିହାଁ କୋଇଲା ଖଣିରୁ ୨୫/୩୦ହଜାର ଟନ୍‌ ଓ ତାଳଚେର ଲିଙ୍ଗରାଜରୁ ୨୫/୩୦ହଜାର ଟନ୍‌ କୋଇଲା ମିଳିଥାଏ। ଭରତପୁର ମାଟି ଅତଡ଼ା ଖସିବା ପରେ ଗତ ୨୫ ତାରିଖରୁ ସମସ୍ତ କୋଇଲାଖଣି ବନ୍ଦରହିଛି। ଏନ୍‌ଟିପିସିକୁ ଆଦୌ କୋଇଲା ମିଳୁନାହିଁ। ଏନ୍‌ଟିପିସିର କୋଇଲା ଷ୍ଟକ୍‌ରେ ଗଚ୍ଛିତ କୋଇଲାକୁ ଗତ କିଛିଦିନ ହେଲା ହେଲା ବିଦ୍ୟୁତ ଉତ୍ପାଦନ ନିମନ୍ତେ ବ୍ୟବହାର କରାଯାଉଥିଲା। ଏବେ ଷ୍ଟକ୍‌ରେ ୫୦ ହଜାର ଟନ୍‌ରୁ କମ କୋଇଲା ଥିବା ଏନ୍‌ଟିପିସି ସୂତ୍ରରୁ ଜଣାପଡ଼ିଛି। ଯାହା ଅଧା ଦିନ ପାଇଁ ମଧ୍ୟ ଯଥେଷ୍ଟ ନୁହଁ। ଘୋର କୋଇଲା ସଙ୍କଟ ଦେଇ ଉକ୍ତ ପ୍ଲାଣ୍ଟ ଗତି କରୁଥିବା ବେଳେ ଏପଟେ ଷ୍ଟକ୍‌ରେ କୋଇଲା ନାହିଁ କି ଆବଶ୍ୟକ ପରିମାଣର କୋଇଲା ମିଳୁନି। ଫଳରେ କର୍ତ୍ତୃପକ୍ଷ ପ୍ଲାଣ୍ଟର ୧, ୪ ଏବଂ ୫ ନଂ. ୟୁନିଟକୁ ବନ୍ଦ କରି ସାରିଲେଣି। ଆବଶ୍ୟକ ପରିମାଣର କୋଇଲା ନ ମିଳିଲେ ଅବଶିଷ୍ଟ ୟୁନିଟ୍‌କୁ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲିି ଜଣାପଡ଼ିଛି। ରବିବାର ଅବଶିଷ୍ଟ ୩ଟି ୟୁନିଟର ୧୫ ଶହ ମେଗାୱାଟ୍‌ ବଦଳରେ ୯୮୦.୯୪ ୟୁନିଟ୍‌ ବିଦ୍ୟୁତ ଉତ୍ପାଦନ ହୋଇଥିଲା।
ସୂଚନାଥାଉ କି, ଏହି ପ୍ଲାଣ୍ଟରୁ ଦୈନିକ ଓଡ଼ିଶାକୁ ୫୨୩ ମେଗାୱାଟ୍‌ ବିଦ୍ୟୁତ୍‌ ଯୋଗାଇ ଦିଆଯାଇଥାଏ। ଓଡ଼ିଶା ବ୍ୟତୀତ ତାମିଲନାଡୁ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା, ବିହାର, ୱେଷ୍ଟବେଙ୍ଗଲ, ଝାଡ଼ଖଣ୍ଡ, ନର୍ଥଇଷ୍ଟ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ହୋଇଥାଏ। ରବିବାର ୧ ହଜାରରୁ ମେଗାୱାଟରୁ କମ୍‌ ବିଦ୍ୟୁତ ଉତ୍ପାଦନ ହୋଇଛି। କୋଇଲା ନ ମିଳିଲେ ଅନ୍ୟ ୟୁନିଟ୍‌କୁ ବନ୍ଦ କରିବାକୁ ପଡ଼ିବ ବୋଲି ଏନ୍‌ଟିପିସିର ଜନସମ୍ପର୍କ ଅଧିକାରୀ ଅମିତ କୁମାର ବେହେରା ପ୍ରକାଶ କରିଛନ୍ତି।

Share