କଣ୍ଟାକ୍ଟ ଟ୍ରେସିଂ ପରେ ସିଲ୍‌ ହୋଇପାରେ ଝାରପଡ଼ା, ମଧୁସୂଦନ ନଗର

ଭୁବନେଶ୍ୱର, ୮ା୪(ବ୍ୟୁରୋ): ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ି ଚାଲିଛି। ରାଜ୍ୟରେ ମୋଟ ୪୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ କେବଳ ଭୁବନେଶ୍ୱରରେ ୩୫ଜଣ ରହିଛନ୍ତି। ତେଣୁ ସଂକ୍ରମଣ ରୋକିବାକୁ ଆକ୍ରାନ୍ତ ରହୁଥିବା ଅଞ୍ଚଳ ଓ ସଂସ୍ପର୍ଶରେ ଆସିଥିବା ଅଞ୍ଚଳକୁ ସିଲ୍‌ କରାଯାଉଛି। ଇତିମଧ୍ୟରେ ଭୁବନେଶ୍ୱରର ୫ ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ଘୋଷଣା କରାଯାଇଥିବାବେଳେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଝାରପଡ଼ା ଓ ମଧୁସୂଦନ ନଗରକୁ ସିଲ୍‌ କରାଯିବାକୁ ଯୋଜନା ଚାଲିଛି। ସୋମବାର ଝାଡପଡା ଅଞ୍ଚଳର ଜଣେ ୭୨ ବର୍ଷୀୟା ବୃଦ୍ଧଙ୍କର ମୃତ୍ୟୁ ଘଟିଥିବାବେଳେ ମଙ୍ଗଳବାର ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହା ରାଜ୍ୟର ପ୍ରଥମ କରୋନା ମୃତ୍ୟୁ ହୋଇଥିବାରୁ ପ୍ରଶାସନିକ ତତ୍ପରତା ବଢ଼ିଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଖୋଜା ଚାଲିଛି। ଏଥିସହ ଏହି ଅଞ୍ଚଳର ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି। ସେପରି କିଛି ଘଟଣା ନଜରକୁ ଆସିଲେ ଝାରପଡ଼ା ଅଞ୍ଚଳକୁ ସିଲ୍‌ କରାଯିବ ବୋଲି ଦକ୍ଷିଣ ପୂର୍ବ ଜୋନାଲ କମିଶନର ଅଂଶୁମାନ ରଥ କହିଛନ୍ତି।
ସେହିପରି ୟୁନିଟ୍‌-୪ ମଧୁସୂଦନନଗର ମଧ୍ୟ ବିଏମ୍‌ସିର ଦକ୍ଷିଣ ପୂର୍ବ ଜୋନ ଅଧିନରେ ହିଁ ଯାଉଛି। ସେଠାରେ ବି ଜୋନାଲ ଡାକ୍ତରୀ ଟିମ୍‌ ଓ ଜୋନାଲ ସ୍କ୍ବାଡ୍‌ ନିଜ ନିଜର କାମ ଜାରି ରଖିଛନ୍ତି। ଯଦି ମଧୂସୁଦନ ନଗରରୁ ଚିହ୍ନଟ ପଜେଟିଭ୍‌ ବ୍ୟକ୍ତିଙ୍କ ସଂସ୍ପର୍ଶରେ କେହି ଆସିଥିବା ଜଣାପଡିବ ତେବେ ଆବଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯାଇ ସିଲ୍‌ ହେବ। ଏଥିସହ ଅନ୍ୟ ଆବଦ୍ଧ ଅଞ୍ଚଳ ପରି ଝାରପଡ଼ା ଓ ମଧୁସୂଦନ ନଗରବାସୀଙ୍କୁ ବିଏମ୍‌ସି ଅତ୍ୟାବଶ୍ୟକ ସେବା ଯୋଗାଇଦେବ ବୋଲି ସେ କହିଛନ୍ତି।

Share