କଣ୍ଟାମାଳ ଡାକ୍ତରଖାନାରେ ଡାକ୍ତର ଅଭାବ

କଣ୍ଟାମାଳ,୨୫ା୩(ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଦେଖାଦେଇଛି । ୬ଟି ପଦବୀ ଥିବା ଏହି ଡାକ୍ତରଖାନାରେ ୨ ଜଣ ଡାକ୍ତର ସ୍ବାସ୍ଥ୍ୟସେବା ସମ୍ଭାଳୁଛନ୍ତି। ଜଣେ ଡାକ୍ତର ସ୍ବତନ୍ତ୍ର ଭାବରେ କରୋନା ନିରାକରଣ ପାଇଁ ନିୟୋଜିତ ଥିବା ବେଳେ କେତେଜଣ ଦାଦନ ଫେରନ୍ତା ଯୁବକ ଗାଁରେ ଲୋକଙ୍କ ସହିତ ମିଳାମିଶା କରୁଥିବା ଦେଖିବାକୁ ମିଳିଛି। ଫଳରେ ଲୋକଙ୍କୁ କରୋନା ଡର ଘାରିଛି। ଗତ ୧୫ ଦିନ ମଧ୍ୟରେ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିବା ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳର ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଯୁବକ ଘରକୁ ଫେରି ଆସିଛନ୍ତି। ଏହି ଯୁବକମାନେ ମୁଖ୍ୟତଃ ତାମିଲନାଡୁ , ଗୁଜୁରାଟ , କେରଳ ଓ ମହାରାଷ୍ଟ୍ର ଅଞ୍ଚଳରୁ ଫେରିଛନ୍ତି। ତେବେ ବରଗାଁ ପଞ୍ଚାୟତର ୧୨ ଜଣ , ଲମ୍ବସରୀର ୩୪ ଜଣ , ସିମିଳିପଦରର ୨୭ ଜଣ , ଖଟଖଟିଆ ପଞ୍ଚାୟତର ୩୨ ଜଣ ଗଁ।ରେ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି। ଘଣ୍ଟାପଡା ପଞ୍ଚାୟତରେ ଏହି ଯୁବକଙ୍କ ପାଇଁ କ୍ୱାରେନଟାଇନର ବ୍ୟବସ୍ଥା କରାଯାଇଥିବା ବେଳେ ଅନେକ ପଞ୍ଚାୟତରେ ଯୁବକମାନେ ବୁଲାବୁଲି କରିବା ଉଦ୍‌ବେଗ ସୃଷ୍ଟି କରିଛି। କରୋନା ପାଇଁ ସତର୍କତା ଜାରି କରା ଯାଇଥିବା ବେଳେ ଏହି ଯୁବକମାନେ ରାଜ୍ୟବାହାରୁ ଫେରି କୁଣିଆ କିମ୍ବା ସାଙ୍ଗ ଘର ବୁଲି ଯାଉଛନ୍ତି।
ଏନେଇ ମାତକୁପା ଗାଁର ଟିକେଶ୍ୱର ମହାନନ୍ଦ କହିଛନ୍ତି ଯେ , ଆଠ ଦଶ ଦିନ ହେବା ଦାଦନୀ ପିଲାମାନେ ଗାଁକେ ଆସି କରି ସଙ୍ଗ ମିଶନ ହେଲେନ , ଆମକୁ ଡର ଲାଗୁଛେ। ୪୦ ହଜାର ଲୋକଙ୍କ ସ୍ବାସ୍ବ୍ୟସେବା ସଂଭାଳୁଥିବା ଅପରପକ୍ଷରେ କଣ୍ଟାମାଳ ଡାକ୍ତରଖାନା ଉପରେ ୪୦ ହଜାର ଲୋକ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ବେଳେ ଡାକ୍ତର ଅଭାବ ପାଇଁ ପ୍ରାଥମିକ ଚିକିତ୍ସା ପରେ ରୋଗୀଙ୍କୁ ସୋନପୁର ରେଫର କରାଯାଉଛି। ଏନେଇ ପ୍ରଶାନ୍ତ ସାହୁ କହିଛନ୍ତି ଯେ , କଣ୍ଟାମାଳ ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁ ଆଗାମୀ ଦିନରେ ଘେର ସମସ୍ୟା ସୃଷ୍ଟି ହୋଇପାରେ। ସ୍ବାସ୍ଥ୍ୟବିଭାଗ ଯଥାଶୀଘ୍ର ଡାକ୍ତର ପଦବୀ ପୂରଣ କରିବା ଆବଶ୍ୟକ ହୋଇପଡିଛି। ଅପରପକ୍ଷରେ ଉକ୍ତ ଡାକ୍ତରଖାନାର ଡାକ୍ତର ଜଗଦୀଶ ସେଠ କହିଛନ୍ତି ଯେ , ୨ ଦିନ ଭିତରେ ରାଜ୍ୟ ବାହାରୁ ଫେରିଥିବା ୩୮ ଜଣ ଯୁବକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। କାହାରି ପାଖରେ କରୋନାର ଲକ୍ଷଣ ନାହିଁ। ସେଥିପାଇଁ ଅଞ୍ଚଳବାସୀ ଭୟଭୀତ ହେବାର ନାହିଁ।

Share