କଣ୍ଟେନମେଣ୍ଟ ଜୋନରେ କଟକଣା ଜାରି ରହିବ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୮।୫(ବ୍ୟୁରୋ)-ସୋମବାରଠାରୁ ସାରା ରାଜ୍ୟରେ ଲାଗୁ ହୋଇଛି ଲକଡାଉନ ୪.୦। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ୪ର୍ଥ ପର୍ଯ୍ୟାୟର ଲକଡାଉନକୁ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ପାଳନ କରିବେ। ଏଥିରେ ଜିଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଅଧିକ କ୍ଷମତା ମିଳିଛି। ବର୍ତ୍ତମାନ ଜିଲାପାଳ ଓ ମ୍ୟୁନିସପାଲ କମିଶନରମାନେ ଜୋନ ଚିହ୍ନଟ କରିବେ ବୋଲି ସୋମବାର ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ ଆହୁରି କହିଛନ୍ତି ଯେ, ନିୟମ ଉଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। କଣ୍ଟେନମେଣ୍ଟ ଜୋନରେ ସମସ୍ତ ପ୍ରକାର କଟକଣା ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ ତ୍ରିପାଠୀ ପ୍ରକାଶ କରିଛନ୍ତି। ସେହିପରି ଜାତୀୟ ଓ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ମିଳିବ ନାହିଁ। କିନ୍ତୁ ଏୟାର ଆମ୍ବୁଲାନ୍ସ ପାଇଁ ଅନୁମତି ମିଳିବ। ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଅନଲାଇନ ପାଠପା ଚାଲୁ ରହିବ। ହେଟେଲ, ରେଷ୍ଟୁରାଣ୍ଟ ବନ୍ଦ ରହିବ। ରାଜ୍ୟ ରାଜ୍ୟ ମଧ୍ୟରେ ବସ ଚାଲିବା ନେଇ ନିଷ୍ପତ୍ତି ହୋଇନାହିଁ। ସାମାଜିକ, ରାଜନୈତିକ, ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ସେ କହିଛନ୍ତି।

Share