କଣ୍ଟେନମେଣ୍ଟ ଜୋନ୍‌ରେ ପୋଲିସକୁ ପଥର ମାଡ଼

ରାଉରକେଲା ଅଫିସ,୫।୫: ସ୍ଥାନୀୟ ନାଲାରୋଡ୍‌ କଣ୍ଟେନମେଣ୍ଟ ଅଞ୍ଚଳରେ ସୋମବାର ଉତ୍ତେଜନା ପ୍ରକାଶ ପାଇଥିଲା। ଅପରାହ୍ନ ପ୍ରାୟ ସାଢେ ୧ଟା ସମୟରେ ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ କରିବା ସହ ବ୍ୟାରିକେଡ୍‌ ଭାଙ୍ଗି ଦେଇଥିଲେ। ଶତାଧିକ ମହିଳା ଓ ପୁରୁଷ ମହତାବ ରୋଡ୍‌ ଆନନ୍ଦ ଭବନ ଲେନ୍‌ ନିକଟରେ ପହଞ୍ଚତ୍ ହୋହଲ୍ଲା କରିଥିଲେ। ଏହାକୁ ପୋଲିସ ପ୍ରତିରୋଧ କରିବାରୁ ସେମାନେ ପୋଲିସ ଉପରକୁ ପଥର ମାଡ଼ କରିଥିଲେ। ଫଳରେ ସୁରକ୍ଷା କର୍ମୀ ନିଜକୁ ବଞ୍ଚାଇବାକୁ ପାଖରେ ଥିବା ଦୋକାନ ଛାତ ତଳକୁ ଚାଲି ଆସିଥିଲେ। ତଥାପି ପଥର ମାଡରେ ୪ରୁ ୫ଜଣ ପୋଲିସ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ଜଣାପଡିବା ପରେ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ, ଏସ୍‌ପି କେ.ଶିବା ସୁବ୍ରମଣିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ କରାଯିବା ପରେ ପୋଲିସ ଅଧିକାରୀମାନେ ବ୍ୟାରିକେଡ୍‌ ନିକଟକୁ ଆସି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ପରେ ପରିସ୍ଥିତି ଶାନ୍ତ ପଡିଥିଲା।
ସୂଚନାଯୋଗ୍ୟ, ଗତ ୭ ଦିନ ହେବ ଉପରୋକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସୋମବାର ସକାଳୁ ସମ୍ପୃକ୍ତ ଅଞ୍ଚଳରେ ଆଉ ଜଣେ କରୋନା ପଜିଟିଭ ମହିଳା(୨୯)ଙ୍କୁ ଚିହ୍ନଟ କରାଯାଇଛି। ଚିକିତ୍ସା ନିମନ୍ତେ ତାଙ୍କୁ ହାଇଟେକ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭ ଦିନ ହେବ ଆବଦ୍ଧ ହୋଇ ରହିଥିବା ସ୍ଥାନୀୟ ବାସିନ୍ଦା ଗତ ଦୁଇଦିନ ହେବ ପୋଲିସ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ସର୍ଭେ ପାଇଁ ଆସିଥିବା ଆଶାକର୍ମୀଙ୍କୁ ମଧ୍ୟ ସହଯୋଗ କରି ନ ଥିଲେ। ଘରୁ ପଦାକୁ ବାହାରିପାରୁ ନ ଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଥିବା ଅନୁମାନ କରାଯାଉଛି। ଏହି ଅଞ୍ଚଳରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ସ୍ଥାନୀୟ ଲୋକଙ୍କୁ ନିରାଶ କରିଛି। ଆଗାମୀ ଦିନରେ କଣ୍ଟେନମେଣ୍ଟ ଉଠିବା ନେଇ ଆଶା କରୁଥିବା ଲୋକେ ନିରାଶ ହେବା ପରେ ଏଭଳି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି। ତେବେ ଉକ୍ତ ଘଟଣା ପଛରେ ରହିଥିବା ଅନ୍ୟ କାରଣ ଖୋଜିବାକୁ ଜିଲା ପୋଲିସ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଉକ୍ତ ଘଟଣା ପରେ ନାଲା ରୋଡ୍‌ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।

Share