କଣ୍ଟେନମେଣ୍ଟ ଜୋନ ଉଠାଇବା ଦାବିରେ ପୋଲିସ-ଜନତା ମୁହାଁମୁହିଁ

ରାଉରକେଲା ଅଫିସ,୨୬।୫: ରାଉରକେଲା କଣ୍ଟେନମେଣ୍ଟ ଜୋନରେ ମଙ୍ଗଳବାର ସକାଳୁ ଉତ୍ତେଜନା ଲାଗି ରହିଛି। ସକାଳ ସାଢେ ୮ଟାରେ କିଛି ଲୋକ ବ୍ୟାରିକେଡ ଭାଙ୍ଗି ରିଂ ରୋଡ଼କୁ ଚାଲି ଆସିଥିଲେ। ସେଠାରେ ମୁତୟନ ଥିବା ପୋଲିସ ବାରଣ କରିବାରୁ ସେମାନେ ତାଙ୍କ ଉପରକୁ ପଥର ମାଡ଼ କରିଥିଲେ। ଧିରେ ଧିରେ ଏହି ଘଟଣା ଉଗ୍ର ରୂପ ଧାରଣ କରିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ପୋଲିସକୁ ଲୁହ ବୁହା ଗ୍ୟାସ ବ୍ୟବହାର କରିବାକୁ ପଡ଼ିିଥିଲା। ଇସ୍ପାତ କାରଖାନା ମୁଖ୍ୟ ଫାଟକ ସମ୍ମୁଖ ରିଂ ରୋଡ଼ ଉପରେ ଦିନ ୧୧ଟା ଯାଏ ଭିଡ ଲାଗି ରହିଥିଲା। ଘଟଣାସ୍ଥଳରେ ଡିଆଇଜି କବିତା ଜଲାନ, ଏସ୍‌ପି କେ. ଶିବାସୁବ୍ରମଣି ପ୍ରମୁଖ ଉପସ୍ଥିତ ରହି ଶାନ୍ତି ବଜାୟ ରଖିବାକୁ ଚେଷ୍ଟା ଜାରି ରଖିଛନ୍ତି। ସୂଚନାଯୋଗ୍ୟ, ସୋମବାର କଣ୍ଟେନମେଣ୍ଟ ନିକଟ ବଫର ଜୋନରୁ ବ୍ୟାରିକେଡ ଉଠାଇ ନିଆଯାଇଛି। ଏହାପରେ କଣ୍ଟେନମେଣ୍ଟ ଜୋନ ବାସିନ୍ଦା ପ୍ରତିକ୍ରିୟାଶୀଳ ହୋଇ ଏଭଳି କାଣ୍ଡ ଭିଆଇଥିବା ସୂଚନା ମିଳିଛି।

Share