କଣ୍ଟେନର ଓଲଟି ୨୨ ଗୋରୁ ମୃତ

ଜଳେଶ୍ୱର, ୧୬।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନାଞ୍ଚଳ ମଧ୍ୟ ଦେଇ ଯାଇଥିବା ୬୦ ନଂ. ଜାତୀୟ ରାଜପଥରେ ଗୋରୁ ମାଫିଆମାନେ ପ୍ରତ୍ୟହ ଶହଶହ କଣ୍ଟେନର, ଟ୍ରକ ଏବଂ ପିକ୍‌ଅପ ମାଧ୍ୟମରେ ଗୋରୁ ଓ ଗୋମାଂସ ବୋଝେଇ କରି ପଶ୍ଚିମବଙ୍ଗ ରାଜ୍ୟକୁ ଚାଲାଣ କରୁଛନ୍ତି। ଏହି ଘଟଣା ବାରମ୍ବାର ଲୋକଲୋଚନକୁ ଆସୁଥିଲେ ମଧ୍ୟ ଜିଲା ପ୍ରଶାସନ ନୀରବଦ୍ରଷ୍ଟା ପାଲଟିଥିବା ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ମଝିରେ ମଝିରେ ଗୋରୁ ବୋଝେଇ ଯାନବାହନଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହେଉଥିବା ବେଳେ ପୋଲିସ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ଲୋକେ ଅଭିଯୋଗ ଉଠାଇଛନ୍ତି।
ସୋମବାର ଭୋର୍‌ ସମୟରେ ଓଡ଼ିଶାପଟୁ ପଶ୍ଚିମବଙ୍ଗ ଆଡ଼କୁ ଏକ କଣ୍ଟେନର (ନଂ. ଓଆର୍‌୦୧ଏମ୍‌-୪୧୫୮) ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଗୋରୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ନହଞ୍ଜରା ସ୍ଲିପ ରୋଡ଼ଠାରେ ଥିବା ରାଜପଥ ବାର୍‌ ପାଖରେ ଓଲଟି ପଡିଥିଲା। ସେଥିରେ ଥିବା ୨୨ରୁ ଊର୍ଦ୍ଧ୍ୱ ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଟି ଗୁରତର ହୋଇଛନ୍ତି। ଦୁର୍ଘଟଣା ଘଟିବା କ୍ଷଣି କଣ୍ଟେନରର ଚାଳକ ଓ ହେଲ୍‌ପର ଫେରାର ହୋଇଯାଇଛନ୍ତି। ପରେ ସ୍ଥାନୀୟ ଲୋକେ କଣ୍ଟେନରରେ ଥିବା ବାକି ଗୋରୁମାନଙ୍କୁ ଉଦ୍ଧାର କରି ନିଜ ସହ ନେଇଯାଇଛନ୍ତି। ଖବରପାଇ ଜଳେଶ୍ୱର ଥାନା ଆଇଆଇସି ପ୍ରଦୀପ କୁମାର ମାଝି, ଏଏସ୍‌ଆଇ ସତ୍ୟନାରାୟଣ ବଳ ଘଟଣାସ୍ଥଳରେ ପହଞ୍ଚତ୍ ମୃତ ଗୋରୁଗୁଡ଼ିକୁ ଜବତ କରି ଥାନାରେ ଏକ ମାମଲା (ନଂ. ୧୫୯/୨୦୧୯) ରୁଜୁ କରି ତଦନ୍ତ ଚଳାଇଛନ୍ତି।