କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଖଟି ଠାବ କରିବ ଡ୍ରୋନ୍‌

ଭୁବନେଶ୍ୱର,୧୫ା୪ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ସେଥିରୁ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ରାଜଧାନୀର ୩ଟି ଅଞ୍ଚଳ ଯଥା ସତ୍ୟନଗର,ବମିଖାଲ ଓ ସୂର୍ଯ୍ୟନଗରକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛି। ଉକ୍ତ ୩ଟି ଅଞ୍ଚଳକୁ ସମ୍ପୂର୍ଣ୍ଣଭାବେ ସିଲ୍‌ କରାଯାଇଛି। କେହି ବାହାରୁ କଣ୍ଟେନ୍‌ମେଣ୍ଟ ଜୋନ୍‌କୁ ଯାଉନାହାନ୍ତି କି ଭିତରୁ ବାହାରକୁ ଆସିପାରୁ ନାହାନ୍ତି। ଏଭଳି ସ୍ଥିତିରେ ଏହି କଣ୍ଟେନ୍‌ମେଣ୍ଟ ଜୋନ୍‌ ଭିତରେ କେତେକ ଅମାନିଆ ଖଟି କରିବା ସହ ତାସ୍‌ ଏବଂ ଅନ୍ୟ ଖେଳ ଖେଳୁଛନ୍ତି। ପୂର୍ବଭଳି ଅନେକ ଲୋକ ଘରେ ନ ରହି ବାହାରେ ବୁଲୁଥିବା ଖବର ପୋଲିସ ନିକଟକୁ ଆସିଛି। ଏହିସବୁ ଅଞ୍ଚଳ ଭିତରକୁ ପୋଲିସ ଯାଇପାରୁ ନ ଥିବାରୁ ସେମାନେ ଏଭଳି ମନଇଚ୍ଛା କାର୍ଯ୍ୟ କରି ବିପଦକୁ ଡାକି ଆଣୁଛନ୍ତି। ଉକ୍ତ ଅଞ୍ଚଳ ଉପରେ ନଜର ରଖିବାଲାଗି ପୋଲିସ ଏକ ଅଭିନବ ଉପାୟ ଆପଣାଇଛି। ୩ଟି କଣ୍ଟେନ୍‌ମେଣ୍ଟ ଜୋନ୍‌ ଭିତରେ ଡ୍ରୋନ୍‌ ଉଡ଼ାଇ ପାଟ୍ରୋଲିଂ କରାଯିବ। ମଙ୍ଗଳବାର ପୋଲିସ ପକ୍ଷରୁ ଏହି ୩ଟି କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଡ୍ରୋନ ଉଡ଼ାଯାଇଛି। ସନ୍ଧ୍ୟା ହେବାରୁ ଡ୍ରୋନ ପୂରା ଅଞ୍ଚଳ ପରିକ୍ରମା କରିପାରିନାହିଁ। ବୁଧବାର ୩ଟି ଅଞ୍ଚଳରେ ଦିନ ତମାମ ଡ୍ରୋନ ଉଡ଼ାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ଡ୍ରୋନ ଉଡ଼ିବା ପରେ ସେଥିରେ କଏଦ ହେଉଥିବା ଫୁଟେଜକୁ ପୋଲିସ ପରବର୍ତ୍ତୀ ସମୟରେ ଯାଞ୍ଚ କରିବ। ଯେଉଁ ସ୍ଥାନରେ ଏକାଧିକ ଲୋକେ ଏକାଠି ହେଉଥିବାର ଦୃଶ୍ୟ ଜଣାପଡିବ, ସେହି ଅଞ୍ଚଳର ମୁରବିଙ୍କୁ ପୋଲିସ ଫୋନ୍‌ କରି ଏକାଠି ନ ହେବା ପାଇଁ ନିର୍ଦ୍ଦେଶ ଦିଆଯିବ। ଯଦି ତାଙ୍କ ନିର୍ଦ୍ଦେଶକୁ ଏହି ଅମାନିଆ ନ ମାନନ୍ତି ତେବେ ବାଧ୍ୟ ହୋଇ ପୋଲିସ ଉକ୍ତ କଣ୍ଟେନ୍‌ମେଣ୍ଟ ଜୋନ ଭିତରକୁ ଯାଇ ଅମାନିଆଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବ। କଣ୍ଟେନମେଣ୍ଟ ନ ହଟିବା ପର୍ଯ୍ୟନ୍ତ ଡ୍ରୋନ ଏଭଳି ପାଟ୍ରୋଲିଂ କରିବ ବୋଲି କୁହାଯାଇଛି।

Share