ପାତ୍ରପୁର,୧୮ା୬(ଡି.ଏନ୍.ଏ.)- ପାତ୍ରପୁର ବ୍ଲକ୍ ହେଡ଼କ୍ୱାର୍ଟର ପାତ୍ରପୁର ଗ୍ରାମରେ ୩ଦେକାନୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିବାପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଦେଖାଦେଇଛି। ପାତ୍ରପୁର ବ୍ଲକ ପ୍ରଶାସନ ଜିଲାପାଳଙ୍କୁ ପାତ୍ରପୁର ଓ ସାମନ୍ତିଆପଲ୍ଲୀ ଗ୍ରାମକୁ କଣ୍ଟେନ୍ମେଣ୍ଟ ଜୋନ ଘୋଷଣା କରିବାକୁ ଲେଖି ଜଣାଇଥିଲେ। ବୁଧବାର ରାତିରେ ଜିଲାପାଳ ପାତ୍ରପୁର ଓ ସାମନ୍ତିଆପଲ୍ଲୀକୁ କଣ୍ଟେନ୍ମେଣ୍ଟ ଜୋନ ଘୋଷଣା କରିଛନ୍ତି। ଏଥିସହ ଗ୍ରାମର ବଦଖତାଡ଼ି ଓ ଗୋପାଳସାଗର ବସ୍ତିକୁ ବଫର ଜୋନ୍ ଘୋଷଣା କରାଯାଇଛି। ଉଭୟ ଗ୍ରାମକୁ ଚାରିପଟୁ ବ୍ୟାରିକେଡ କରି ସିଲ୍ କରାଯିବାକୁ ନିଷ୍ପତି ହୋଇଛି। ଲୋକଙ୍କ ଯିବା ଆସିବା ଉପରେ ସମ୍ପୂର୍ଣ୍ଣ କଟକଣା ରହିବ। ଏହାପରେ ଗ୍ରାମରେ ଘରଘର ବୁଲି ସ୍ବାସ୍ଥ୍ୟ କର୍ମଚାରୀ ସ୍କ୍ରିନିଂ ସହ ସ୍ବାସ୍ଥ୍ୟ ଯାଞ୍ଚ କରିବେ। ଗ୍ରାମକୁ ସାନିଟାଇଜ୍ କରାଯିବା ସହ ୭ଦିନ ପରେ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଆସିଲେ କଟକଣା ହଟିବ।