କଣ୍ଡକ୍ଟରଙ୍କୁ ମାଡ଼, ଜେଲଗଲେ ଯୁବକ

ଆସିକା,୨୫ା୧୧(ଡି.ଏନ୍‌.ଏ.) -ଆସିକା-ଭଞ୍ଜନଗର ମୁଖ୍ୟରାସ୍ତାର ଇଣ୍ଡନପୁର ଗ୍ରାମ ଛକ ନିକଟରେ ଏକ ଘରୋଇ ବସ୍‌ର କଣ୍ଡକ୍ଟରଙ୍କୁ ମାଡ ମାରିବା ଅଭିଯୋଗରେ ପୋଲିସ ରବିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଇଣ୍ଡନପୁର ଗ୍ରାମର ଶମ୍ଭୁ ଭୂୟଁା। ଏହି ମାମଲାରେ ସମ୍ପୃକ୍ତ ଜଣେ ନାବାଳକଙ୍କ ବିରୋଧରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ନାବାଳକଙ୍କୁ ତାଙ୍କ ବାପାଙ୍କ ଜିମାରେ ଛଡାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଧିରେଶ କୁମାର ଦାସ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଗୁରୁବାର ଅଭିଯୁକ୍ତ ଶମ୍ଭୁ ଓ ସମ୍ପୃକ୍ତ ନାବାଳକ ଉକ୍ତ ଘରୋଇ ବସ୍‌ରେ କ୍ଷତ୍ରିୟବରପୁରରୁ ଇଣ୍ଡନପୁର ଆସିବାକୁ ବସିଥିଲେ। ଇଣ୍ଡନପୁର ଠାରେ ଗାଡିର ଷ୍ଟପେଜ୍‌ ନ ଥିବାରୁ ପୂର୍ବ ଷ୍ଟପେଜ ଗାଙ୍ଗପୁରଠାରେ କଣ୍ଡକ୍ଟର ସେମାନଙ୍କୁ ଓହ୍ଲାଇ ଦେଇଥିଲା। ଏନେଇ କଣ୍ଡକ୍ଟରଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଶନିବାର ବସ୍‌କୁ ଇଣ୍ଡନପୁର ଛକରେ ଅଟକାଇ ସମ୍ପୃକ୍ତ କଣ୍ଡକ୍ଟରଙ୍କୁ ଶମ୍ଭୁ ଓ ସମ୍ପୃକ୍ତ ନାବାଳକ ମାଡ ମାରିଥିଲେ। ବସ୍‌ କଣ୍ଡକ୍ଟର ଗୋପାଳକୃଷ୍ଣ ଡାକୁଆ ଶନିବାର ଗାଙ୍ଗପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ନଂ.୨୧୫/୧୯ରେ ଏକ ମାମଲା ରୁଜୁ କରିଥିଲା।