Advertisement

କଣ୍ଢେଇ ନାଚରେ ପର୍ଯ୍ୟଟନ ସଚେତନ କରୁଛନ୍ତି ତେଲେଙ୍ଗାନାର ମାଧବୀଲତା

କୋରାପୁଟ,୨୭ା୧୦(ସ୍ବ.ପ୍ର.): ପ୍ରତି ଗ୍ରାମ ଓ ସହରାଞ୍ଚଳରେ ରୋଡ ଶୋ ହେଉଛି। ପାରମ୍ପରିକ ଷ୍ଟେଜ ଶୋ କରାଯାଉଛି। ଏହି ଶୋଗୁଡ଼ିକରେ କଣ୍ଢେଇ ନାଚ ପ୍ରଦର୍ଶନ କରି ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି ତେଲେଙ୍ଗାନାର ଜଣେ ମହିଳା। ସେ ହେଲେ ଜି. ମାଧବୀଲତା। କୋରାପୁଟ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ଶନିବାର ଏହିଭଳି ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ମାଧବୀ। ସେଥିରେ ସେ ପିଲାଙ୍କୁ କଣ୍ଢେଇ ଖେଳ ଦେଖାଇ ତାହାରି ମାଧ୍ୟମରେ ଭାରତର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଉପରେ ସେମାନଙ୍କୁ ସଚେତନ କରିଥିଲେ। ସେଥିରେ ତେଲେଙ୍ଗାନାର ଚାରମିନାର, ଗୋଲକୋଣ୍ଡା ଦୁର୍ଗ, ଚୋମହଲା ପ୍ୟାଲେସ, ମେଡକ ଚର୍ଚ୍ଚ, ଭଗିର ଦୁର୍ଗ, କୁନ୍ତଳା ୱାଟରଫଲ, ବିର୍ଲା ମନ୍ଦିର, ଜଗଲାମ୍ବା ମନ୍ଦିର, ରାମପ୍ପା ମନ୍ଦିର, ରାମୋଜି ଫିଲ୍ମସିଟି ଭଳି ପର୍ଯ୍ୟଟନ ସ୍ଥଳୀ ରହିଥିଲା। ତେଲେଙ୍ଗାନାରୁ ଆସିଥିବା ଆସୋସିଏସନ ଫର ଦି ପ୍ରମୋଶନ ଅଫ ଦି ଆର୍ଟ ଅଫ୍‌ ପପେଟ୍ରୀ ଦଳ (ଏପିପିଏ)ର ସମ୍ପାଦକ ଥାଇ ମାଧବୀ ୨୦ ବର୍ଷ ହେଲା ଏଭଳି ଅଭିନବ ଉଦ୍ୟମ ଚଳାଇଛନ୍ତି। ଏହି ଦଳ ଏଯାବତ୍‌ ମାଲକାନଗିରି, ଢେଙ୍କାନାଳ, ପୁରୀ, ଦେବଗଡ଼, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା ପରି ଜିଲାରେ ଏପରି ସଚେତନତା କାର୍ଯ୍ୟକ୍ରମ କରିସାରିଛି। ମାଧବୀଲତା ନିଜର ସହଯୋଗୀ ଚାଲା ଉଦୟ ତେଜା, କୈଦୁରି କ୍ରିଷ୍ଣା, ଏମ୍‌. ଶ୍ରୁଥିଙ୍କ ସହ ଏଭଳି ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାର ମାଗୁଣି ଚରଣଙ୍କ ନେତୃତ୍ୱରେ ମଧ୍ୟ ଏହି କଣ୍ଢେଇ ନାଚ ଦ୍ୱାରା ଲୋକଙ୍କୁ ପର୍ଯ୍ୟଟନ ଓ ପର୍ଯ୍ୟଟନସ୍ଥଳୀ ବାବଦରେ ଆକୃଷ୍ଟ କରାଯାଇଆସୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share