ମୁମ୍ବାଇ: ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ସମସ୍ତେ ଘରେ ବନ୍ଦହୋଇ ରହିଛନ୍ତି। ଏଥିରୁ ବାଦ୍ ପଡ଼ିନାହାନ୍ତି ବଲିଉଡ ତାରକା। ଅଭିନେତା, ଅଭିନେତ୍ରୀମାନେ ଘରେ ରହି ବିଭିନ୍ନ ଉପାୟରେ ନିଜର ସମୟ ବିତାଉଛନ୍ତି। ଏମିତିରେ ‘ପ୍ୟାର କା ପଞ୍ଚନାମା ’ର ଅଭିନେତ୍ରୀ ସୋନାଲୀ ସେହଗଲ ୮ବର୍ଷ ପରେ ପୁଣିଥରେ କଥକ ରିଆଜ ଆରମ୍ଭ କରିଛନ୍ତି। ସୋନାଲି କିଛିଦିନ ତଳେ କଥକ ନୃତ୍ୟର ଭିଡିଓ ଇନ୍ଷ୍ଟାରେ ଶେୟାର କରିଛନ୍ତି। ତାଙ୍କର ଏହି ନୃତ୍ୟକୁ ତାଙ୍କ ଫ୍ୟାନ୍ମାନେ ବେଶ୍ ପସନ୍ଦ କରିଛନ୍ତି। ସେ ଏହି ଭିଡିଓ ଶେୟାର କରି ଲେଖିଛନ୍ତି ଯେ, ୮ବର୍ଷ ହେଲା ଅଭ୍ୟାସ କରୁ ନ ଥିଲି। ତେବେ ବହୁତ ମନେ ପକାଇକି ଫୁଟ୍ଓ୍ବାର୍କ ସହିତ ରିଭିଜନ ଆରମ୍ଭ କରିଛି। ଆଗକୁ ଏହିଭଳି ପ୍ରାକ୍ଟିସ୍ ଜାରି ରଖିବି। ସୋନାଲିଙ୍କ ଏହି କଥକ ଅଙ୍ଗଭଙ୍ଗୀରେ ବେଶ୍ ସୁନ୍ଦର ହୋଇଛି। ସେ ନିଜ ଘରର ଛାତ ଉପରେ ନୃତ୍ୟ କରୁଥିବାର ଭିଡିଓ ଶେୟାର କରିଛନ୍ତି। ସେ ଜଣେ ପ୍ରଫେସନାଲ କଥକ ଡ୍ୟାନ୍ସର। ଲକ୍ଡାଉନ୍ ସମୟ କାଟିବା ପାଇଁ ଏହା ଏକ ଭଲ ଉପାୟ। ସକାଳୁ ଛାତ ଉପରେ ଘୁଙ୍ଗୁର ପିନ୍ଧି ନୃତ୍ୟ କଲାବେଳେ ମନ ଏବଂ ଶରୀର ପୂରା ଫ୍ରେଶ୍ ହୋଇଯାଉଛି ବୋଲି ସୋନାଲୀ କହିଛନ୍ତି। ଏହା ସହିତ ନିଜ ଶରୀରକୁ ମଧ୍ୟ ଫିଟ୍ ରଖିହେବ ବୋଲି ସେ ଏଥିରେ ଉଲ୍ଲେଖ କରିଛନ୍ତି।