କଥାକଥାରେ

ସମ୍ବିଧାନର ଅନୁଚ୍ଛେଦ ୧୯ ଅନୁଯାୟୀ ଇଣ୍ଟରନେଟ୍‌ ସେବା ପାଇବା ନାଗରିକଙ୍କ ମୌଳିକ ଅଧିକାର ବୋଲି ସୁପ୍ରିମକୋର୍ଟ ୧୦ ଜାନୁୟାରୀରେ ସ୍ପଷ୍ଟ କରିଛନ୍ତି। ଅନୁଚ୍ଛେଦ ୩୭୦ରେ ଜମ୍ମୁ ଓ କଶ୍ମୀରକୁ ଦିଆଯାଇଥିବା ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ୫ ଅଗଷ୍ଟ ୨୦୧୯ରେ ଉଚ୍ଛେଦ ହେବା ପରେ ନିରାପତ୍ତାଜନିତ ଭୟ ଆଶଙ୍କା କରି କେନ୍ଦ୍ର ସରକାର ସେଠାରେ ଇଣ୍ଟରନେଟ୍‌ ଓ ଫୋନ୍‌ ସେବା ଅଚଳ କରିଦେଇଥିଲେ। ଏହାପରେ ‘କଶ୍ମୀର ଟାଇମ୍ସ’ ସମ୍ପାଦକ ଅନୁରାଧା ଭାସିନ୍‌, କଂଗ୍ରେସ ନେତା ଗୁଲାମନବୀ ଆଜାଦ ଓ ଅନ୍ୟ କେତେକ ବ୍ୟକ୍ତି କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପକୁ ଚ୍ୟାଲେଞ୍ଜ କରିଥିଲେ। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଇଣ୍ଟରନେଟ୍‌ ସେବା ନାଗରିକର ମୌଳିକ ଅଧିକାର ବୋଲି କହିଛନ୍ତି। ଏଥିସହିତ ସପ୍ତାହକ ମଧ୍ୟରେ ଏହାର ସମୀକ୍ଷା କରିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୀର୍ଘଦିନ ଧରି ଇଣ୍ଟରନେଟ୍‌ ସେବା ବ୍ୟାହତ ହୋଇଥିବାରୁ ପରିସ୍ଥିତିର ଗମ୍ଭୀରତା ଓ ଜନସାଧାରଣଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ସର୍ବୋଚ୍ଚ ଅଦାଲତ ସରକାରଙ୍କୁ ତାଗିଦ୍‌ କରିବା ସ୍ବାଗତଯୋଗ୍ୟ। କେବଳ ସେତିକି ନୁହେଁ, ନିକଟରେ ଶୀର୍ଷ ଅଦାଲତର ପ୍ରଧାନ ବିଚାରପତି ଏସ୍‌. ଏ. ବୋବ୍‌ଡେ କେନ୍ଦ୍ର ସରକାର ଯେଭଳି ଭାବେ ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଲାଗୁ କରିଛନ୍ତି, ତାହା ଉପରେ ଦେଇଥିବା ଟିପ୍ପଣୀ ପ୍ରଣିଧାନଯୋଗ୍ୟ। ସେ କହିଛନ୍ତି ଯେ, ଯେତେବେଳ ଯାଏ ଦେଶରେ ହିଂସା ନ କମିଛି ଓ ଶାନ୍ତି ଫେରିଆସି ନାହିଁ, ସେଯାଏ ସିଏଏ ସଂକ୍ରାନ୍ତ ମାମଲାର ଶୁଣାଣି କରିବା ଅନୁଚିତ। ଏହାର ଅର୍ଥ ହେଉଛି, ଦେଶରେ ଅସ୍ଥିରତା ଲାଗି ରହିଛି ବୋଲି ପ୍ରଧାନ ବିଚାରପତି ସ୍ବୀକାର କରିଛନ୍ତି।
ଇଣ୍ଟରନେଟ୍‌ ବ୍ୟବହାର ଉପରେ ଲଗାଯାଇଥିବା ପ୍ରତିବନ୍ଧକ ପ୍ରସଙ୍ଗକୁ ଫେରିବା। ସମ୍ବିଧାନର ଅନୁଚ୍ଛେଦ ୧୯ରେ କୁହାଯାଇଛି ଯେ, ନାଗରିକମାନେ ବାକ୍‌ ସ୍ବାଧୀନତା ଓ ଯେକୌଣସି ବୃତ୍ତି ଗ୍ରହଣ କିମ୍ବା ବ୍ୟବସାୟ ବା ବାଣିଜ୍ୟ କରିବା ଲାଗି ଇଣ୍ଟରନେଟ୍‌କୁ ମାଧ୍ୟମ ଭାବେ ବ୍ୟବହାର କରିବେ। ଆବଶ୍ୟକ ସ୍ଥଳେ ଜାତୀୟ ସୁରକ୍ଷା ବିପନ୍ନ ହେଲେ କଟକଣା ଲଗାଯାଇପାରେ। ହେଲେ ଜମ୍ମୁ ଓ କଶ୍ମୀର କ୍ଷେତ୍ରରେ ଦୀର୍ଘଦିନ ଧରି ବିଭିନ୍ନ ଅଞ୍ଚଳରେ ଇଣ୍ଟରନେଟ୍‌ ଓ ଫୋନ୍‌ ସେବା ବନ୍ଦ କରାଯିବା ଦ୍ୱାରା ସେଠାରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ଖବରକାଗଜ, ଟେଲିଭିଜନ୍‌ ଆଦି ଗଣମାଧ୍ୟମ ସକାଶେ ଇଣ୍ଟରନେଟ୍‌ ବ୍ୟବହାର ନିତାନ୍ତ ଦରକାର। ସେହିପରି ହସ୍ପିଟାଲ, ହୋଟେଲ, ବ୍ୟବସାୟିକ ପ୍ରତିଷ୍ଠାନ ଓ ବ୍ୟାଙ୍କ କାରବାର ଲାଗି ଏହା ଅତ୍ୟାବଶ୍ୟକ ମାଧ୍ୟମ ପାଲଟିଛି। ଏପରି କି ଯେଉଁ ସମୟରେ ଜମ୍ମୁ ଓ କଶ୍ମୀରରେ ଇଣ୍ଟରନେଟ୍‌ ବନ୍ଦ କରିଦିଆଗଲା, ସେତେବେଳେ ପ୍ରଚୁର ପରିମାଣର ଆପଲ୍‌ ବା ସେଓ ଉତ୍ପାଦନ ହେଉଥିଲା। ଦୀର୍ଘଦିନ ବାହାର ରାଜ୍ୟର ବ୍ୟବସାୟୀଙ୍କ ସହ ଯୋଗାଯୋଗ ହୋଇ ନ ପାରିବାରୁ ସେଗୁଡ଼ିକ ପଚିଶଢ଼ି ଗଲା। ଏହି କାରଣରୁ ଉଭୟ ଚାଷୀ ଓ ବ୍ୟବସାୟୀ ଘୋର କ୍ଷତି ସହିଛନ୍ତି। ପୁଣି ସେହି ସମୟରେ ପର୍ଯ୍ୟଟନ ଋତୁ ଥିଲା। ଇଣ୍ଟରନେଟ୍‌ ବ୍ୟାହତ ଓ ଅନ୍ୟସବୁ କଟକଣା ଲାଗୁ ହେବାରୁ କଶ୍ମୀର ପର୍ଯ୍ୟଟନ ଶିଳ୍ପକୁ ଘୋର କ୍ଷତି ସହିବାକୁ ପଡ଼ିଛି। ୩୭୦ ଉଚ୍ଛେଦ ବେଳେ ଜମ୍ମୁ ଓ କଶ୍ମୀରରେ ଶିକ୍ଷାବର୍ଷ ଆରମ୍ଭ ହୋଇଥିଲା। ସ୍କୁଲ ଓ କଲେଜ ଅଦ୍ୟାବଧି ଖୋଲିପାରି ନାହିଁ। ଏଥିଯୋଗୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉପରେ ସିଧାସଳଖ ପ୍ରଭାବ ପଡ଼ିଛି। ଏପରିକି ଯୁବଶକ୍ତି ସେଠାରେ ପୂର୍ବାପେକ୍ଷା ଅଧିକ ବେକାର ହୋଇଯାଇଛନ୍ତି।
ଦେଖିବାକୁ ଗଲେ ଇଣ୍ଟରନେଟ୍‌ ସେବା ବନ୍ଦ ହେବା ଯୋଗୁ ସମ୍ପୃକ୍ତ ଅଞ୍ଚଳରେ ସାମାଜିକ ଜୀବନ ବ୍ୟାହତ ହେବା ସହ ବାଣିଜି୍ୟକ କ୍ଷତି ଘଟିଛି। ମାସ ମାସ ଧରି ଲୋକେ ଔଷଧ ପାଇବାରୁ ବଞ୍ଚିତ ହୋଇଛନ୍ତି। ଯେତେବେଳେ କୌଣସି ସ୍ଥାନରେ ଦଙ୍ଗା କିମ୍ବା ଅରାଜକତା ଭଳି ସ୍ଥିତି ଉପୁଜେ, ସେତେବେଳେ ଗୁଜବ କିମ୍ବା ଅପ୍ରୀତିକର ପରିସ୍ଥିତି ନ ଉପୁଜିବା ପାଇଁ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ୍‌ ଓ ଫୋନ୍‌ ସେବା ଉପରେ କଟକଣା ଲାଗୁ କରାଯାଇଥାଏ। କାରଣ ହ୍ବାଟ୍ସଆପ୍‌, ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ କିମ୍ବା ମେସେଜ୍‌ ପ୍ରେରଣ ଦ୍ୱାରା ଦୁଷ୍ଟ ଶକ୍ତି ତତ୍‌କ୍ଷଣାତ୍‌ ଘଟଣାକୁ ବଡ଼ ଆକାର ଦେଇଦେଇଥାଆନ୍ତି। ହେଲେ କଥାକଥାରେ ଏହିସବୁ ସେବାକୁ ବନ୍ଦ କରିଦିଆଗଲେ ତାହା ଲୋକଙ୍କ ଜୀବନଯାପନ ଓ ବାଣିଜ୍ୟ ଉପରେ ପ୍ରବଳ ନକାରାତ୍ମକ ପ୍ରଭାବ ପକାଇଥାଏ। କେବଳ ଜମ୍ମୁ ଓ କଶ୍ମୀରରେ ନୁହେଁ, ନିକଟ ଅତୀତରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଓ ସିଏଏକୁ ନେଇ ସ୍ବର ଉତ୍ତୋଳନ ହେଉଥିବାରୁ ତାହାକୁ ଚାପି ଦେବା ପାଇଁ କେନ୍ଦ୍ର ସରକାର ଦେଶର ବିଭିନ୍ନ ପ୍ରାନ୍ତରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦେଉଛନ୍ତି। ଇଣ୍ଟରନେଟ୍‌ ଗବେଷଣା ସଂସ୍ଥା ଟପ୍‌୧୦ ଭିପିଏନ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତରେ ବାରମ୍ବାର ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଥିବାରୁ ୨୦୧୯ରେ ଦେଶକୁ ୧.୩ ବିଲିୟନ ଡଲାର କ୍ଷତି ସହିବାକୁ ପଡ଼ିଛି। ଏଥିଯୋଗୁ ଇରାକ୍‌ ଓ ସୁଦାନ ପରେ ଭାରତ ବିଶ୍ୱର ତୃତୀୟ ଦେଶ ଭାବେ ଆର୍ଥିକ କ୍ଷତିରେ ପଡ଼ିଛି। ଉଲ୍ଲେଖଯୋଗ୍ୟ, ଇରାକ୍‌ ଓ ସୁଦାନରେ ଇଣ୍ଟରନେଟ୍‌ ସେବା ଉପରେ ପ୍ରତିବନ୍ଧକ ପରେ କ୍ଷତି ପରିମାଣ ରହିଛି ଯଥାକ୍ରମେ ୨.୩ ବିଲିୟନ ଡଲାର ଓ ୧.୮୭ ବିଲିୟନ ଡଲାର। ଭାରତ କଥାକୁ ଦେଖିଲେ ଏହା ଏବେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ଇଣ୍ଟରନେଟ୍‌ ସେବା ବନ୍ଦ ହେବା ସେହି କ୍ଷତିର ପରିମାଣକୁ ବଢ଼ାଇ ଚାଲିଛି।
ଆଜିର କେନ୍ଦ୍ର ସରକାର ନିଜକୁ ସୁହାଇଲା ଭଳି ପଦକ୍ଷେପ ନେବା ବେଳେ ଜାତୀୟ ସ୍ବାର୍ଥକୁ ଜଳାଞ୍ଜଳି ଦେବା ଏକ ଖରାପ ପରମ୍ପରା ସୃଷ୍ଟି କରୁଛି। ବିରୋଧ କରୁଥିବା ବ୍ୟକ୍ତି ବା ସଙ୍ଗଠନର ମୁହଁ ବନ୍ଦ କରିବା ଲାଗି ଯୋଗାଯୋଗର ମାଧ୍ୟମକୁ ଦୀର୍ଘଦିନ ଧରି ବନ୍ଦ କରି ରଖାଯିବା ଦ୍ୱାରା ଏହାର ପ୍ରଭାବ ସାମାଜିକ ବ୍ୟବସ୍ଥା ଉପରେ ପଡ଼ୁଛି। ଏବେ ସୁପ୍ରିମକୋର୍ଟ ଏହା ଉପରେ ଗୁରୁତ୍ୱ ଦେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଥିବାରୁ ସରକାର ଏହାକୁ ହେଜିବା ଦରକାର। କୌଣସି ଭାବେ ଚାପ ପ୍ରୟୋଗ କରି ନିର୍ବାଚନକୁ ପ୍ରଭାବିତ କରିବା ହେଉ ବା ଜମ୍ମୁ ଓ କଶ୍ମୀରର ଡେମୋଗ୍ରାଫି ବା ଜନସଂଖ୍ୟା ତତ୍ତ୍ୱ ବଦଳାଇବାର ଉଦ୍ଦେଶ୍ୟ ହେଉ ଆଜିର ଭାରତରେ ତାହା କରିବା ସହଜ ନୁହେଁ। ଦେଶବ୍ୟାପୀ ଏନ୍‌ଆର୍‌ସି ଓ ସିଏଏକୁ ବିରୋଧ ଏହାର ସଂକେତ ଦେଉଛି। ଜନସାଧାରଣଙ୍କ ମନ କଥା ନ ବୁଝି କଥାକଥାରେ ଜୋରଜବରଦସ୍ତି ଚାପ ପକାଇଲେ ତାହା ବୁମେରାଂ ହେବାର ଯଥେଷ୍ଟ ଆଶଙ୍କା ରହିଛି।