Categories: ଜାତୀୟ

କଥା ହେଉ ହେଉ ହୃଦ୍‌ଘାତରେ ଯୁବକଙ୍କ ମୃତ୍ୟୁ: ସିସିଟିଭିରେ ରେକର୍ଡ ହେଲା ଭିଡିଓ

ଡେରାଡୁନ,୧।୧୦: ଘର ବାହାରେ ଠିଆହୋଇ କଥା ହେଉଥିବା ସମୟରେ ହଠାତ୍‌ ଯୁବକଙ୍କ ଚାଲିଗଲା ଜୀବନ। ସିସିଟିଭିରେ ରେକର୍ଡ ହେଲା ମୃତ୍ୟୁବେଳର ଭିଡିଓ। ଏଭଳି ବିଚଳିତ କରିଦେବା ଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ହରିଦ୍ୱାରରେ। ସୂଚନାଯୋଗ୍ୟ, ହରିଦ୍ୱାର ଜ୍ୱାଲାପୁରର କୋତଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକ ସୋଏବ ରହୁଥିଲେ। ସ୍ଥାନୀୟ ବଜାରରେ ସେ କାର୍ଯ୍ୟରତ ଥିଲେ। ସୋମବାର ସୋଏବ ଘର ଆଗରେ ଠିଆ ହୋଇ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିବା ସମୟରେ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଯନ୍ତ୍ରଣା ଯୋଗୁ ସେ ରାସ୍ତା ଉପରକୁ ଦୌଡିଥିଲେ। କେହି କିଛି ବୁଝିବା ଆଗରୁ ହଠାତ୍‌ ସେ ତଳେ ପଡ଼ିଯାଇଥିଲେ। ତେବେ ତଳେ ପଡ଼ିବାର ୨ ସେକେଣ୍ଡ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲକୁ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିକଟସ୍ଥ ଏକ ଦୋକାନରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିଥିଲେ। ଏଥିରେ ଘଟଣାର ସମସ୍ତ ଦୃଶ୍ୟ ରେକର୍ଡ ହୋଇଥିବା ଦେଖିବାକୁ ପାଇଥିଲା ପୋଲିସ।

Share