କନିଅଆଁ ଟୁସୁଙ୍କ ନୌବିହାର ମନମୋହିଲା

ବାଲେଶ୍ୱର ଅଫିସ, ୨୮।୫-ବାହାଘର ପାଇଁ ସରିଛି ଲଗ୍ନଧରା ଓ ଗୁଆମଙ୍ଗଳା। ଆସନ୍ତା ୩୦ତାରିଖରେ ଶୁଭ ପରିଣୟ। ବଧୂ ବେଶ ସାଜି ଝଲସି ଉଠିବେ ଟୁସୁ। ବାଜା, ରୋଷଣିରେ ଚାରିଦିଗ ଦୁଲୁକାଇ ବର ବେଶ ହୋଇ ଆସିବେ ଶଙ୍କର। ଏହି ବିବାହ ଉତ୍ସବ ଦେଖିବା ପାଇଁ ସଭଁଙ୍କ ମନରେ ଭରି ରହିଛି ଉତ୍କଣ୍ଠା। ତେବେ ବିବାହର ୩ ଦିନ ଆଗରୁ କନିଆ ଟୁସୁ ସୋମବାର ମଧ୍ୟାହ୍ନରେ ରେମୁଣା କାଠସଙ୍ଗଡ଼ା ସ୍ଥିତ ବାବା ବଳିଆ ଭାଗବତ ପୀଠ ତ୍ରିବେଣୀଶ୍ୱର ମନ୍ଦିରକୁ ଯାଇ ଅଭଡା ଖାଇ ଏହା ନିକଟରେ ତ୍ରିବେଣୀ ଘାଟରେ ନୌବିହାର କରିଛନ୍ତି। ଅପରାହ୍ନ ୩ଟା ସମୟରେ ଟୁସୁଙ୍କ ନୌବିହାର କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହିଥିଲା। ବହୁ କଳା ଓ ସଂସ୍କୃତିପ୍ରେମୀଙ୍କ ସମେତ ସ୍ଥାନୀୟ ମହିଳା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
କନ୍ୟା ଟୁସୁ ଓ ବର ଶଙ୍କର ଦୁହେଁ ଜଉ କଣ୍ଢେଇ। ପୌରାଣିକ କଥାବସ୍ତୁ ଆଧାରରେ ଲୋକକଳା, ସଂସ୍କୃତି, ଲୋକସାହିତ୍ୟର ପରମ୍ପରାକୁ ଉଜ୍ଜୀବିତ ରଖିବା ଲକ୍ଷ୍ୟ ନେଇ ବାଲେଶ୍ୱରରେ ପ୍ରତିବର୍ଷ ଜଉକଣ୍ଢେଇ ବାହାଘର ଉତ୍ସବ ପାଳନ କରାଯାଇଆସୁଛି। ଏହି ଉତ୍ସବ ଜନମାନସରେ ଏକ ଅଦ୍ୱିତୀୟ ଲୋକପର୍ବର ମାନ୍ୟତା ଲାଭ କରିଛି। ଏହାକୁ ଅଧିକ ଲୋକାଭିମୁଖୀ କରିବା ଏବଂ ପବିତ୍ର ତ୍ରିବେଣୀ ଘାଟର ମହାମତ୍‌ୟକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଗତବର୍ଷଠାରୁ ବଳିଆ ବାବା ଭାଗବତ ପୀଠର ମୁଖ୍ୟ ବାବାଜୀ ଦୟାନନ୍ଦ ଦାସଙ୍କ ତତ୍ତ୍ୱାବଧାନରେ ଜଉ କଣ୍ଢେଇ କନିଆଙ୍କ ଅଭଡ଼ା ଖିଆ ଏବଂ ନୌବିହାର ଉତ୍ସବ ପାଳନ ଆରମ୍ଭ ହୋଇଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସୋମବାର ପୂର୍ବାହ୍ନ ୧୧ଟାରେ କନିଆ ଟୁସୁଙ୍କ ପିତା ରାଜକିଶୋର ରଣା, ଶ୍ୟାମସୁନ୍ଦର ମନ୍ଦିର ଚନ୍ଦନ ଉତ୍ସବ କମିଟି ଅଧ୍ୟକ୍ଷ ଯୋଗେନ ରଣା, ‘ଉମଙ୍ଗ’ ସଭାପତି ବାଚୁ ବବିତା, ବାସନ୍ତୀ ରଣା ପ୍ରମୁଖ କନିଆ ଟୁସୁକୁ ନେଇ ବଳିଆ ଭାଗବତ ପୀଠରେ ପହଞ୍ଚତ୍ଥିତ୍ଲେ। ସ୍ଥାନୀୟ ଅଞ୍ଚଳର ମହିଳାମାନେ ଶଙ୍ଖ, ହୁଳୁହୁଳି ଦେଇ ସେମାନଙ୍କୁ ସ୍ବାଗତ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସ୍ବାଗତ ସଭାରେ ମୁଖ୍ୟ ବାବାଜୀ ଶ୍ରୀ ଦାସ ପୌରୋହିତ୍ୟ କରି ତ୍ରିବେଣୀ ଘାଟର ମହାମତ୍‌ୟ ସହ ଜଉକଣ୍ଢେଇଙ୍କ ସମ୍ପର୍କ ବିଷୟରେ ଅବଗତ କରାଇଥିଲେ। ଜଉକଣ୍ଢେଇ ବାହାଘର କମିଟିର ଆବାହକ ଶିଳ୍ପୀ କେଶୁ ଦାସ ଜଉକଣ୍ଢେଇ ବାହାଘରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। କରୁଣାକର ଖଟୁଆ, ନିରଞ୍ଜନ ସାହୁ, ଅଜୟ ନାୟକ, ସୁଲୋଚନା ଗିରି, କନକଲତା ଦାସ, ବୈଶାଖୀ ଗିରି ଓ ଶ୍ରାବଣୀ ଗିରି ପ୍ରମୁଖ ବକ୍ତବ୍ୟ ରଖିଥିଲେ।