Advertisement

କନିକାଙ୍କ ପରେ ବଲିଉଡ୍‌ର ଆଉ ଜଣେ କରୋନା ପଜିଟିଭ୍‌

ମୁମ୍ବାଇ,୬।୪: ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ବଲିଉଡ୍‌ ଗାୟିକା କନିକା କପୁର ସୁସ୍ଥ ହୋଇ ଘରକୁ ଫେରିବା ପରେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ଆଉ ଜଣେ କରୋନା ପଜିଟିଭ୍‌ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ପ୍ରଯୋଜକ କରୀମ ମୋରାନିଙ୍କ ଝିଅ ଶଜା ମୋରାନି କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହାପରେ କରୀମଙ୍କ ଦ୍ୱିତୀୟ ଝିଅ ଜୋଆ ମୋରାନିଙ୍କ ମଧ୍ୟରେ କରୋନା ଲକ୍ଷଣ ଦେଖାଦେବାରୁ ତାଙ୍କୁ ମୁମ୍ବାଇର ନାନାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜୋଆଙ୍କ ପରେ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ରକ୍ତ ନମୂନା ଯାଞ୍ଚ କରାଯାଇଛି। ଜୋଆ ଡାକ୍ତରଙ୍କ ତଦାରଖରେ ଥିବା ବେଳେ ଶଜାଙ୍କ ଚିକିତ୍ସା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଅପରପକ୍ଷେ ମୋରାନି ପରିବାର ଯେଉଁ ଆପାର୍ଟମେଣ୍ଟରେ ରହୁଛନ୍ତି ତାକୁ ସିଲ୍‌ କରିଦିଆଯାଇଛି। ଶଜା କରୋନାରେ ସଂକ୍ରମିତ ହେବା ପରେ ମୁମ୍ବାଇର ଜୁହୁରେ ଭୟର ବାତାବରଣ ଖେଳିଯାଇଛି। କାରଣ ଜୁହୁରେ କରୋନା ସଂକ୍ରମଣର ଏହା ପ୍ରଥମ ମାମଲା। ଜୁହୁରେ ଅଭିନେତା ଅମିତାଭ ବଚ୍ଚନ, ହ୍ରିତିକ ରୋଶନଙ୍କ ଭଳି ବହୁ ନାମୀଦାମି ସେଲିବ୍ରିଟି ରହୁଥିବା ବେଳେ ଏବେ ସେଠାରେ କରୋନାକୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share