କନ୍ଦାଉଛି କରୋନା

ନୂଆଦିଲ୍ଲୀ,୧୧ା୪: ଦିନକୁ ଦିନ ଭାରତରେ କରୋନା ଭୂତାଣୁ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଶୁକ୍ରବାର ମୃତ୍ୟୁସଂଖ୍ୟା ୨୪୬କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୭,୩୪୭ରେ ପହଞ୍ଚିଛି। ଯଦିଓ ୬୯୭ ରୋଗୀ ସୁସ୍ଥହୋଇ ଘରକୁ ଫେରିଛନ୍ତି, ତଥାପି ଗୋଟିଏ ଦିନରେ ୬୧୮ ରୋଗୀ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମହାରାଷ୍ଟ୍ର। ଏଠାରେ ମୃତ୍ୟୁସଂଖ୍ୟା ୧୦୮ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧,୩୬୪ ଛୁଇଁଛି। ତାମିଲନାଡ଼ୁରେ ୯ ମୁଣ୍ଡ ଯାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୯୧୧ରେ ପହଞ୍ଚିଛି। ରାଜଧାନୀ ଦିଲ୍ଲୀରେ ୯୦୩ ସଂକ୍ରମିତ ଥିବା ବେଳେ ୧୪ ଜଣଙ୍କ ଜୀବନ ଯାଇଛି। ମଧ୍ୟପ୍ରଦେଶରେ ୩୬ ମୁଣ୍ଡ ଯାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୪୫୧ରେ ପହଞ୍ଚିଛି। ରାଜସ୍ଥାନରେ ୫୨୦ ରୋଗୀ ଥିବାବେଳେ ତେଲଙ୍ଗାନାରେ ୪୮୭, ୟୁପିରେ ୪୩୩, ଆନ୍ଧ୍ରପ୍ରଦେଶରେ ୩୮୧, ଗୁଜରାଟରେ୭୮, କେରଳରେ ୩୬୪, ଜମ୍ମୁ-କଶ୍ମୀରରେ ୨୦୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ କରୋନା ଭୂତାଣୁ କାୟାବିସ୍ତାର କରିବାରେ ଲାଗିଛି। ପରିସ୍ଥିତି ଜଟିଳ ହେବାରେ ଲାଗିଥିବା ବେଳେ କେତେକ ରାଜ୍ୟରେ ଲକ୍‌ଡାଉନ୍‌ ସମୟ ସୀମା ବୃଦ୍ଧି କରାଯାଇଛି।

Share