Categories: ମେଟ୍ରୋ

କନ୍ଧମାଳରୁ ରାଜଧାନୀକୁ ଗଞ୍ଜେଇ ଚୋରା ଚାଲାଣ

ଭୁବନେଶ୍ୱର,୩୧।୧(ବ୍ୟୁରୋ): କ୍ୟୁଏଟି ଏବଂ ନୟାପଲ୍ଲୀ ଥାନା ପୋଲିସ ମିଳିତ ଭାବେ ଗୁରୁବାର ଜୟଦେବ ବିହାର ଅଞ୍ଚଳରେ ଚଢାଉ କରି ଏକ କାର୍‌ରୁ ୩୩ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଏହି କାରବାରରେ ସମ୍ପୃୃକ୍ତି ଅଭିଯୋଗରେ ଗୋଟିଏ ପରିବାରର ୩ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ କନ୍ଧମାଳ ଜିଲା ଟିକାବାଲି ଥାନା ଅଞ୍ଚଳର ସତ୍ୟ ନାରାୟଣ ଦିଗଲ, ତାଙ୍କ ସ୍ତ୍ରୀ ପଦ୍ମା ଦିଗଲ ଏବଂ ପୁଅ କ୍ଲିଣ୍ଟନ ଦିଗଲ।
ମୁତାବକ, କନ୍ଧମାଳ ଜିଲାରୁ ଏକ କାର୍‌ (ନଂ. ଓଆର୍‌ ୦୨-ଏଏସ୍‌ ୦୧୪) ଯୋଗେ ରାଜଧାନୀକୁ ଗଞ୍ଜେଇ ଚୋରା ଚାଲାଣ ନେଇ କ୍ୟୁଏଟି ନିକଟରେ ଖବର ପହଞ୍ଚିଥିଲା। ନୟାପଲ୍ଲୀ ଥାନା ଅଞ୍ଚଳରେ ଉକ୍ତ ଗଞ୍ଜେଇ କାରବାର ଡିଲ୍‌ ହେବା ନେଇ ସୂଚନା ମିଳିବା ପରେ ଅଭିଯୁୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ଏବଂ କ୍ୟୁଏଟି ଟିମ୍‌ ମିଳିତ ଭାବେ ଜାଲ ବିଛାଇଥିଲେ। ଜୟଦେବ ବିହାର ବ୍ଲକ -୧ ଏବଂ ଡି-୨ ଅଞ୍ଚଳ ନିକଟରେ ଅଭିଯୁକ୍ତମାନେ ଡିଲ୍‌ କରିବା ନିମନ୍ତେ କାର୍‌ ପାର୍କ କରିବା ପରେ ପୋଲିସ ଅତର୍କିତ ଭାବେ ଚଢାଉ କରି ଉକ୍ତ ୩ ଅଭିଯୁକ୍ତଙ୍କୁ କାବୁ କରିନେଇଥିଲା। କାର୍‌କୁ ଯାଞ୍ଚ କରିବାରୁ ୩୩ କିଲୋ ୩୮୦ ଗ୍ରାମ୍‌ ଗଞ୍ଜେଇ ମିଳିଥିଲା। ଏଥିସହ ଅଭିଯୁକ୍ତମାନଙ୍କଠାରୁ ୩୨୦ ଟଙ୍କା, ୨ଟି ମୋବାଇଲ ଫୋନ ଜବତ କରାଯାଇଥିଲା। ପୋଲିସ ଏହି ୩ ଚାଲାଣକାରୀଙ୍କୁ ଗିରଫ କରିବା ସହ କାର୍‌ ଜବତ କରିଥିଲା। ଏ ନେଇ ନୟାପଲ୍ଲୀ ଥାନା ପୋଲିସ ଏନ୍‌ଡିପିଏସ୍‌ ଦଫା ୨୦ ବି ଅନୁଯାୟୀ ଏକ କେସ୍‌ (ନଂ. ୫୯/୨୦) ରୁଜୁ କରି ତଦନ୍ତ ଚଳାଇଛି। ଗଞ୍ଜେଇ ଚୋରା କାରବାରରେ ସମ୍ପୃୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ ତନାଘନା ଚଳାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚରା ପରେ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ କହିଛନ୍ତି।

Share