କନ୍ଧମାଳରେ ପ୍ରବଳରୁ ଅତିପ୍ରବଳ ବର୍ଷା: ଧୋଇଗଲା ଡାଇଭର୍ସନ, ଦାରିଙ୍ଗବାଡ଼ି-ଭବାନୀପାଟଣା-ତୁମୁଡ଼ିବନ୍ଧ ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି/କୋଟଗଡ଼,୧୨।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲାରେ ରବିବାର ସନ୍ଧ୍ୟାରୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି । ଫଳରେ ଜିଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ସହ ରାସ୍ତା ଧୋଇଯିବା କାରଣରୁ ଯାତାୟାତରେ ସମସ୍ୟା ଦେଖାଯାଇଛି । ଦାରିଙ୍ଗବାଡ଼ିଠାରୁ ବାଲିଗୁଡ଼ା, ତୁମୁଡ଼ିବନ୍ଧ, ଭବାନୀପାଟଣା, ରାଇପୁର ଆଦିକୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥର ତୁମୁଡ଼ିବନ୍ଧ ବ୍ଲକ ବାଟାଗୁଡ଼ାଠାରେ ଏକ ଡାଇଭର୍ସନ ରୋଡ଼ ବର୍ଷା ପାଣିରେ ଧୋଇ ହୋଇଯାଇଛି। ଫଳରେ ରାଜପଥ ଉପରେ ଶହ ଶହ ଗାଡ଼ି ଅଟକି ରହିଛି। ଲୋକଙ୍କ ଯାତାୟାତରେ ସମସ୍ୟା ଦେଖାଯାଇଛି । ଖବର ପାଇ ବାଲିଗୁଡ଼ା ଏସ୍‌ଡିପିଓ ବିନୀନ ଅଗ୍ରୱାଲ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ବର୍ଷାଦିନେ ଉକ୍ତ ରାସ୍ତାରେ ଅନେକ ସମୟରେ ସମସ୍ୟା ଦେଖାଯାଉଥିଲେ ସୁଦ୍ଧା ଜାତୀୟ ରାଜପଥ ସଂପ୍ରସାରଣରେ ବିଳମ୍ବ ଯୋଗୁ ଏଭଳି ଅସୁବିଧା ହେଉଥିବା ଅଭିଯୋଗ ହେଉଛି।  ଏ ନେଇ ଜାତୀୟ ରାଜପଥ ବିଭାଗ ବାଲିଗୁଡ଼ା ସେକ୍ସନର କନିଷ୍ଠ ଯନ୍ତ୍ରୀ ଜୟଦେବ ଦେ କୁହନ୍ତି, ଏ ବିଷୟରେ ଏବେ ଶୁଣଲି, ଖୁବ୍‌ଶୀଘ୍ର ଉକ୍ତ ଡାଇଭର୍ସନ ରାସ୍ତା ମରାମତି କରାଯିବ। ଏଥିସହ ଏବେ ତାକୁ ମରାମତି କରାଯାଇଥିଲା, ବାରମ୍ବାର ପ୍ରବଳ ବର୍ଷା କାରଣରୁ ଏହି ସମସ୍ୟା ହେଉଥିବା ସେ କହିଛନ୍ତି।

Share