Categories: ଗଞ୍ଜାମ

କନ୍ଧମାଳ ଜିଲା କମ୍ପ୍ୟୁଟର ଶିକ୍ଷକ ସଂଘର ଆନ୍ଦୋଳନ ଚେତାବନୀ

ବାଲିଗୁଡ଼ା,୨୨।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ନିକଟସ୍ଥ ସାରଙ୍ଗଡ଼ସ୍ଥିତ ସଦ୍‌ଭାବନା ଗୃହ ପରିସରରେ ଜିଲା ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘ ତଥା କମ୍ପ୍ୟୁଟର ଶିକ୍ଷକ ସଂଘର ସଭାପତି ବିନୋଦ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ସମସ୍ତ କମ୍ପ୍ୟୁଟର ଶିକ୍ଷକ ଉପସ୍ଥିତ ରହି ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ନବମ ଓ ଦଶମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚତ୍ତ କରାଯାଇଥିବା ବିଷୟ ପ୍ରକାଶ କରିଥିଲେ। ଜିଲାରେ ଥିବା ୫୭ଟି ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ବିଦ୍ୟାଳୟର କମ୍ପ୍ୟୁଟର ଶିକ୍ଷକଙ୍କ ନବୀକରଣ ହୋଇ ନ ଥିବାରୁ କମ୍ପ୍ୟୁଟର ଶିକ୍ଷାରୁ ଛାତ୍ରୀଛାତ୍ରମାନେ ସମସ୍ତ ଅନ୍‌ଲାଇନ କାର୍ଯ୍ୟକ୍ରମ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ବୈଠକରେ ମତ ପ୍ରକାଶ ପାଇଥିଲା। ଗତ ୫ବର୍ଷ ଧରି କାର୍ଯ୍ୟରତ ଥିବା କମ୍ପ୍ୟୁଟର ଶିକ୍ଷକଙ୍କର ବର୍ତ୍ତମାନ ଆଇସିଟି ପ୍ରୋଜେକ୍ଟର ଅବଧି ଶେଷ ହୋଇଥିବାରୁ ତାହାର ନବୀକରଣ କରିବାରେ ରାଜ୍ୟ ସରକାର କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଆସନ୍ତା ୨୫ ତାରିଖ ସୁଦ୍ଧା କୌଣସି ପ୍ରକାରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନକୁ ଜୋର୍‌ଦାର କରାଯିବ ବୋଲି ସଂଘର ସଭାପତି ପାଣିଗ୍ରାହୀ ପ୍ରକାଶ କରିଛନ୍ତି।