କନ୍ଧମାଳ ଲକ୍‌ଡାଉନ୍‌: ବୃଦ୍ଧି ପାଉଛି ଚୋରା ମଦ କାରବାର

ଦାରିଙ୍ଗବାଡ଼ି,୨୫।୩(ଡି.ଏନ୍‌.ଏ.): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ଲାଗି କନ୍ଧମାଳ ଜିଲାରେ ୧୪୪ ଧାରା ବଳବତ୍ତର ରହିବା ସହ ଲକ୍‌ଡାଉନ୍‌ କରାଯାଇଛି । ଏହି ସମୟରେ ସମସ୍ତଙ୍କୁ ଘରେ ରହିବା ପାଇଁ କୁହାଯିବା ସହ ପୋଲିସ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ବୁଧବାର ବିଭିନ୍ନ ଛକରେ ପୋଲିସ ପକ୍ଷରୁ ବ୍ଲକିଂ କରାଯାଇ ଯାନବାହନକୁ ରୋକାଯିବା ସହ ଯାଞ୍ଚ କରାଯାଉଛି। ଶୃଙ୍ଖଳାରେ ଲୋକେ ଘରେ ରହିଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ଗାଁ ଛକଗୁଡ଼ିକରେ ନିଶାସକ୍ତ ଅବସ୍ଥାରେ ଦୌରାତ୍ମ୍ୟ ଚଳାଇଛନ୍ତି ।
ସେହିପରି ସିମନବାଡ଼ି ସମେତ ଗ୍ରୀନ୍‌ବାଡ଼ି, ଦାରିଙ୍ଗବାଡ଼ି, ଦଣ୍ଡିମା ଆଦି ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଇଛି । ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ସବୁ ବନ୍ଦ ରହିଥିବା ବେଳେ ଲୋକେ ଲୁଚି ଲୁଚି ପଦାକୁ ଆସି ମଦ ଦୋକାନଗୁଡ଼ିକରେ ଭିଡ଼ ଜମାଉଛନ୍ତି। ବ୍ୟବସାୟ ବୃଦ୍ଧି ଲାଗି ବ୍ୟବସାୟୀମାନେ ଚୋରାରେ ଦେଶୀ ମଦ ସହ ଛକ ଉପରେ ବିଦେଶୀ ମଦ ବେଧଡ଼କ ବିକ୍ରି କରୁଛନ୍ତି । ପୋଲିସ ସଚେତନ କରୁଥିବାବେଳେ ସିମନବାଡ଼ି ଅଞ୍ଚଳରେ ପୋଲିସ ଯିବା ପରେ ପୁଣି ପଦାକୁ ଆସି କିଛି ଅସାମାଜିକ ଯୁବକ ହୋହଲ୍ଲା କରିଛନ୍ତି । ସେମାନଙ୍କୁ ପୋଲିସ ଚିହ୍ନଟ କରିଥିବା ଜଣାପଡ଼ିଛି।

Share