କନ୍ୟାକୁମାରୀରୁ କଟକ: ଏକତାର ମନ୍ତ୍ର ନେଇ ଥଙ୍ଗାରାଜାଙ୍କ ଦେଶ ପରିକ୍ରମା

କଟକ ଅଫିସ, ୩୦ା୧୧: ପଙ୍ଗୁ ଲଙ୍ଘୟତେ ଗିରି। ସଂସ୍କୃତରେ ଥିବା ଏହି ଶ୍ଳୋକକୁ ପ୍ରମାଣିତ କରିଛନ୍ତି କନ୍ୟାକୁମାରୀର ଆର୍‌. ଥଙ୍ଗାରାଜା(୪୦)। ଦୁଇଟି ଗୋଡ଼ ଅକର୍ମଣ୍ୟ ହୋଇଥିଲେ ମଧ୍ୟ ଏକ ସ୍ବତନ୍ତ୍ର ସ୍କୁଟରରେ ଦେଶ ପରିକ୍ରମାରେ ସେ ବାହାରିଛନ୍ତି। ରାଜଧାନୀ ଦିଲ୍ଲୀ ହେଉକି ଦୁର୍ଗମ ଜମ୍ମୁ-କଶ୍ମୀର। ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଦେଶ ସାରା ଏକତାର ମନ୍ତ୍ର ବାଣ୍ଟୁଛନ୍ତି। ଏହି ସାହସୀ ଯୁବକ ଜଣଙ୍କ ଶୁକ୍ରବାର ସନ୍ଧ୍ୟାରେ କଟକରେ ପହଞ୍ଚିଥିଲେ। ଯୋବ୍ରା ରୋଡ୍‌ସ୍ଥିତ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଶାଖା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଡକାଯାଇଥିବା ବେଳେ ଥଙ୍ଗାରାଜା ଉପସ୍ଥିତ ରହି ନିଜ ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ।
‘ଏକ ଭାରତ, ବିଜୟୀ ଭାରତ। ଦେଶବାସୀଙ୍କ ସାମୂହିକ ଅବଦାନର ସମୟ ଆସିଛି। ରାଷ୍ଟ୍ରବାସୀ ଏକ ହେଲେ ଦେଶର ନବନିର୍ମାଣ ହୋଇ ପାରିବ।’ ଏହା ହେଉଛି ଥଙ୍ଗାରାଜାଙ୍କ ବାର୍ତ୍ତା। ଇତି ମଧ୍ୟରେ ସେ ଅନେକ ରାଜ୍ୟ ଅତିକ୍ରମ କରି ସାରିଲେଣି। କଟକ ପରେ ସେ ଭୁବନେଶ୍ୱର, ସମ୍ବଲପୁର ଅଭିମୁଖେ ଯାତ୍ରା କରିବେ। ଏହାପରେ ସେ ଛତିଶଗଡ଼ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ବୋଲି କହିଛନ୍ତି। କନ୍ୟାକୁମାରୀ ବିବେକାନନ୍ଦ କେନ୍ଦ୍ରର ସୂଚନା କେନ୍ଦ୍ରରେ ଥଙ୍ଗାରାଜା କାର୍ଯ୍ୟ କରନ୍ତି। ଗତ ସେପ୍ଟେମ୍ବର ୧୧ରେ ସେ ଯାତ୍ରା ଆରମ୍ଭ କରିଥିଲେ। କନ୍ୟାକୁମାରୀଠାରେ ୧୯୭୦ ମସିହାରେ ପ୍ରତିଷ୍ଠା ହୋଇଥିବା ବିଶାଳ ରାଷ୍ଟ୍ରୀୟ ସ୍ମାରକୀର ୫୦ତମ ପ୍ରତିଷ୍ଠା ବର୍ଷ ଅବସରରେ ତାଙ୍କର ଏହି ଯାତ୍ରା ବୋଲି ସେ କହିଥିଲେ। ଶ୍ରୀନଗର, ଲେହ୍‌, କାର୍ଗିଲ ଆଦି ସ୍ଥାନ ଯାତ୍ରା କରିବାର ଅନୁଭୂତି ନିଆରା ବୋଲି ଥଙ୍ଗାରାଜା କହିଛନ୍ତି। ଖବରଦାତା ସମ୍ମିଳନୀରେ କେନ୍ଦ୍ରର କଟକ ନଗର ସଙ୍ଗଠକ ରଶ୍ମିତା ନାୟକ, ପ୍ରାନ୍ତ ସଞ୍ଚାଳକ ସୁରସେନ ଜେନା, ‘ଏକ ଭାରତ ବିଜୟୀ ଭାରତ’ର ସଂଯୋଜକ ବିଭୂତି ଭୂଷଣ ମହାପାତ୍ର ଉପସ୍ଥିତ ଥିଲେ।

Share