କନ୍ୟାଶକ୍ତିକୁ ଚିତ୍ରଣ କଲେ ୨୫ ଚିତ୍ରଶିଳ୍ପୀ

ପୁରୁଣା ଭୁବନେଶ୍ୱର, ୨୨।୧ (ଡି.ଏନ.ଏ.):ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟଠାରେ ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୦ ଉପଲକ୍ଷେ ରାଜ୍ୟ ସ୍ବାସ୍ଥ୍ୟ ଓ ପବିବାର କଲ୍ୟାଣ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ହୋଇଯାଇଛି ଏକ ଚିତ୍ରକଳା କର୍ମଶାଳା। ଉକ୍ତ କର୍ମଶାଳାରେ ମହାବିଦ୍ୟାଳୟର ୨୫ଜଣ ଛାତ୍ରୀଛାତ୍ର ‘କନ୍ୟାଶକ୍ତି : ଅବର୍ଣ୍ଣନୀୟ ଏବଂ ଅଦମ୍ୟ’ ପ୍ରସଙ୍ଗକୁ ନେେଇ ନିଜ ନିଜର ଶୈଳୀରେ ସୃଜନଶୀଳ ଚିତ୍ର ଅଙ୍କନ କରିଥିଲେ। କର୍ମଶାଳାକୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ସରୋଜ କୁମାର ନାୟକ, ଯୁଗ୍ମ ନିର୍ଦ୍ଦେଶିକା ଡ. ପୁଷ୍ପାଞ୍ଜଳି ମିଶ୍ର, ମହାବିଦ୍ୟାଳୟର ସମ୍ପାଦକ ମିହିରକାନ୍ତ ପ୍ରହରାଜ ଓ ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଉଦ୍‌ଘାଟନ କରି କନ୍ୟା ସନ୍ତାନମାନଙ୍କ ଶକ୍ତି ତଥା ସମାଜକୁ ସେମାନଙ୍କ ଅବଦାନ ସମ୍ପର୍କରେ ଶିଳ୍ପୀମାନଙ୍କୁ ଅବଗତ କରାଇଥିଲେ। ପରିବାର କଲ୍ୟାଣ ନିର୍ଦ୍ଦେଶାଳୟର ପିଏନ୍‌ଡ଼ିଟି ସେଲ୍‌ର କର୍ମଚାରୀ ବୃନ୍ଦ କର୍ମଶାଳାରେ ଉପସ୍ଥିତ ରହି ଆବଶ୍ୟକ ସହଯୋଗ କରିଥିଲେ। ଏହାକୁ ଅଧ୍ୟାପକ ପ୍ରଦୀପ କୁମାର ସାହୁ ଓ ରାମଶଙ୍କର ସାହୁ ପରିଚାଳନା କରିଥିଲେ। ଆଦ୍ୟାଶା ମିଶ୍ର, ପ୍ରଶାନ୍ତି ସାମଲ, ରଶ୍ମିତା ଭୂୟଁା, ଅନନ୍ୟା ମଙ୍ଗରାଜ, ଦୀପ୍ତିମୟୀ ବାରିକ, ଦିପ୍ତୀମୟୀ ଚମ୍ପତ୍ତି, ଅର୍ପିତା ଦାସ, ଭାଗ୍ୟଶ୍ରୀ ଜେନା, ସାରଥି ପଲାଇ, ଈଶ୍ୱର କୁମାର ମହନ୍ତ ପ୍ରମୁଖ ୨୫ଜଣ ଶିଳ୍ପୀ ଅଂଶଗ୍ରହଣ କରିଥିଲେ। ଶିବିର ଅବସରରେ ଅଧ୍ୟାପକ ଚନ୍ଦନ କୁମାର ସାମଲ, ଅଧ୍ୟାପିକା ମଧୁସ୍ମିତା ଦାସ ପ୍ରମୁଖ ଉପସ୍ଥିତ ରହି ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ। ଆସନ୍ତା ୨୪ ତାରିଖ ଭୁବନେଶ୍ୱର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପୋଖରୀପୁଟଠାରେ ଶ୍ରେଷ୍ଠ ୫ ଜଣ ଶିଳ୍ପୀଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି।

Share