କପଡ଼ା ଘେର ଭିତରେ ଉତ୍କଳମଣି

ପୁରୀ ଅଫିସ,୧୫।୯: କିଛିଦିନ ତଳେ ମେଘନାଦ ପାଚେରି କଡରୁ ସମସ୍ତ ନିର୍ମାଣକୁ ପ୍ରଶାସନ ଉଚ୍ଛେଦ କରିଥିଲା। ତେବେ ଏହି ଉଚ୍ଛେଦ ବେଳେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ପ୍ରଶାସନ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଇଥିବାବେଳେ ଏହାକୁ ଗୋପବନ୍ଧୁପ୍ରେମୀ ବିରୋଧ କରିଥିଲେ। ବାରମ୍ବାର ପ୍ରତିମୂର୍ତ୍ତି ସ୍ଥାନାନ୍ତରକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରଶାସନ ଶେଷରେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଛାତରୁ ଗୋପବନ୍ଧୁଙ୍କୁ ସ୍ଥାନାନ୍ତର କରି ରାମଦୟା ପରିଷଦ ଏବଂ ବଡ଼ଛତା ମଠ ମଝିରେ ଏକ ପିଣ୍ଡି ଗଢି ସ୍ଥାପନ କରିଛି। କିନ୍ତୁ ଶନିବାର ଏହି ମହାନ ପୂଜ୍ୟପୂଜାଙ୍କୁ କପଡ଼ା ଘେର ଭିତରେ ରଖାଯାଇଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ବଡ଼ଛତା ମଠ ସମ୍ମୁଖରେ ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦ ବନ୍ଦାପନା ନୀତି ଚାଲିଥିବାବେଳେ ଗୋପବନ୍ଧୁଙ୍କ ମୂର୍ତ୍ତି ଥିବା ପିଣ୍ଡିକୁ ସମ୍ପୂର୍ଣ୍ଣ ଭାବେ କପଡ଼ାରେ ଘୋଡାଇ ଦିଆଯାଇଥିଲା। ଏ ନେଇ ଅନେକ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତେବେ ଠାକୁରଙ୍କ ନୀତି ପାଇଁ ପିଣ୍ଡିରେ ଏଭଳି କପଡ଼ା ଆଚ୍ଛାଦିତ କରାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Share