Advertisement

କପଡ଼ା ଯୋଗାଣ ନାଁରେ ୪୭ ଲକ୍ଷ ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ସୁରଟ ଓ କୋଲକାତାରୁ ନାମୀଦାମୀ କମ୍ପାନୀର କପଡା ଶସ୍ତାରେ ଯୋଗାଇଦେବା ଆଳରେ ୪୭ ଲକ୍ଷ ଟଙ୍କା ଠକେଇ କରି ଫେରାର ଥିବା ଅଭିଯୁକ୍ତଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି। ସେ ହେଲେ କେନ୍ଦ୍ରାପଡା ଜିଲା ପାଟକୁରା ଅଞ୍ଚଳର ପ୍ରକାଶ କୁମାର ସୁତାର(୪୫)। ବରମୁଣ୍ଡା ବିଡିଏ ଡୁପ୍ଲେକ୍ସ ଅଞ୍ଚଳରେ ରହୁଥିବା ମନମୋହନ ସାହୁଙ୍କର ଏକ ଲୁଗା ଦୋକାନ ରହିଛି। ଅଭିଯୁକ୍ତ ପ୍ରକାଶ ନିଜକୁ ଟ୍ରେଡ୍‌ ମର୍ଚାଣ୍ଟର ପରିଚୟ ଦେଇ ଶସ୍ତାରେ କପଡ଼ା ଯୋଗାଇ ଦେବାକୁ କହି ୨୦୧୬ରେ ମନମୋହନଙ୍କଠାରୁ ୨୭ ଲକ୍ଷ ଓ ୨୦୧୭ରେ ୨୦ ଲକ୍ଷ ଟଙ୍କା ନେଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ତାହା ଯୋଗାଇ ନ ଥିଲେ। ଅଳ୍ପକିଛି ଟଙ୍କା ଫେରାଇ ଦିନ ଗଡ଼ାଇ ଚାଲିଥିଲେ। ଶେଷରେ ମନମୋହନ ଗତ ୩୧ ତାରିଖରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୮୫/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବୁଧବାର ପୋଲିସ ଅଭିଯୁକ୍ତଙ୍କୁ ମଞ୍ଚେଶ୍ୱର ଥାନା ଚକେଇସିଆଣୀସ୍ଥିତ ବାସଭବନରୁ ଗିରଫ କରିବା ସହ ପଚରାଉଚରା ପରେ ଗୁରୁବାର କୋର୍ଟ ଚାଲାଣ କରିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share