କପାଳୀ, ସରୁସାଗରକୁ ମିଳୁନି ନଦୀର ମାନ୍ୟତା

ବନ୍ତ,୧୮।୭ (ସ୍ବ.ପ୍ର.) – ଭଦ୍ରକ ଜିଲା ବନ୍ତ ବ୍ଲକ ଦେଇ ସାଳନ୍ଦୀ, କପାଳୀ ଓ ସରୁସାଗର ନଦୀ ପ୍ରବାହିତ ା ସାଳନ୍ଦୀକୁ ବାଦ୍‌ ଦେଲେ ସରୁସାଗର ଓ କପାଳୀକୁ ସରକାରୀ ଖାତା ଓ ମାନଚିତ୍ରରେ ଏ ଯାଏ ନଦୀର ମାନ୍ୟତା ମିଳିନାହିଁ । ଏହି ଦୁଇ ନଦୀର ଶଯ୍ୟା ଅନେକ ସ୍ଥାନରେ ଦଳଭର୍ତ୍ତି ହୋଇ ପୋତି ପଡିଥିବାରୁ ପ୍ରତିବର୍ଷ ଲଗାଣବର୍ଷାରେ ନଦୀକୂଳିଆ ଅଞ୍ଚଳବାସୀ ବନ୍ୟା ପରିସ୍ଥିତିକୁ ସାମ୍ନା କରୁଛନ୍ତି। କପାଳୀ ନଦୀର ବନ୍ୟାଜଳ ଚାଷ ଜମିରେ ମାଡି ଅଧିକ କ୍ଷୟକ୍ଷତି ଘଟାଉଛି। ସରକାରୀ ଭାବେ ଏହାକୁ ନଦୀର ମାନ୍ୟତା ମିଳି ନ ଥିବାରୁ କ୍ଷତିଗ୍ରସ୍ତ ଚାଷୀମାନେ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି। ଲଘୁଚାପଜନିତ ବର୍ଷା ପ୍ରଭାବରେ ମଧ୍ୟ ନଦୀରେ ବନ୍ୟାଜଳ ଆସି ଚାଷଜମିର ଫସଲ ଉଜାଡି ଦେଉଛି। ଅନୁରୂପ ସରୁସାଗର ନଦୀ ଏହାର ତଟବର୍ତ୍ତୀ ଲୋକଙ୍କ ଲାଗି ଦୁଃଖ ପାଲଟିଛି।
୨୦୧୮ରେ ଲଘୁଚାପ ବର୍ଷା ଜନିତ ବନ୍ୟା ଆସିବାରୁ କପାଳୀ ଓ ସରୁସାଗର ନଦୀର ତଟବର୍ତ୍ତୀ ଅଞ୍ଚଳର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ । ଏଯାଏ ସେମାନଙ୍କୁ କୌଣସି ସରକାରୀ ସହାୟତା ମିଳି ନ ଥିବା ଚାଷୀ ଅଭିଯୋଗ କରୁଛନ୍ତି। କପାଳୀ ନଦୀ କେନ୍ଦୁଝର ଜିଲା ହାଟଡିହୀ ଅଞ୍ଚଳରୁ ଏକ ଛୋଟ ନାଳ ରୂପେ ବାହାରି ବକ୍ର ଗତିରେ ବନ୍ତ ବ୍ଲକର ବସନ୍ତିଆ, ରାମଚନ୍ଦ୍ରପୁୁର, ବନ୍ତ, ଟିଲୋ, ଛୟାଳସିଂ, ଗଣିଜାଙ୍ଗ, ରାମକୃଷ୍ଣପୁର, ରାମପୁର ପଞ୍ଚାୟତ ଦେଇ ପ୍ରବାହିତ ହୋଇ ଧାମନଗର ବ୍ଲକର ଗେଙ୍ଗୁଟି ନଦୀରେ ମିଶିଛି ା ବକ୍ର ଗତି ଓ ନଦୀ ଖନନ ହେଉ ନ ଥିବା କାରଣରୁ ଏହାର ଗର୍ଭ କଳମ ବୁଦାରେ ଭର୍ତ୍ତି ହୋଇ ରହିଛି। ଫଳରେ ନଦୀରେ ସିଧାସଳଖ ବନ୍ୟାଜଳ ନିଷ୍କାସିତ ହୋଇ ନ ପାରି ଉଭୟ ପାର୍ଶ୍ୱକୁ ଜଳମଗ୍ନ କରୁଛି। ବର୍ଷା ଋତୁରେ ଏହି ନଦୀ ଅନେକବାର କୂଳ ଲଙ୍ଘିବା ନଜିର ରହିଛି। ନଦୀ ସଂସ୍କାର ଯୋଜନା ବିଫଳ ହୋଇଥିବାରୁ ନଦୀ ଦ୍ୱୟ କ୍ରମେ କଳମ ବୁଦାରେ ପରିପୂର୍ଣ୍ଣ ହୋଇ ସ୍ଥିତି ହରାଇବାକୁ ବସିଛି। ବନ୍ୟା ସମସ୍ୟାର ସମାଧାନ ଲାଗି ଦୁଇ ନଦୀକୁ ସରକାରୀ ସ୍ତରରେ ମାନ୍ୟତା ଦେଇ ଏହାର ଶଯ୍ୟା ଖନନ କରିିବାକୁ ଅଞ୍ଚଳର ଚାଷୀ ଦାବି କରିଛନ୍ତି। ଗତ ଫାଇଲିନ ବାତ୍ୟା ସମୟରେ ତତ୍‌କାଳୀନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ କପାଳୀ ନଦୀକୁ ସରକାରୀ ମାନ୍ୟତା ଦିଆଯିବ ବୋଲି କହିଥିଲେ ମଧ୍ୟ ଏହା ପ୍ରତିଶ୍ରୁତିରେ ଅଟକି ରହିଛି। ବନ୍ତ ବ୍ଲକର ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଓ ପ୍ରଶାସନ ସମୟୋଚିତ ପଦକ୍ଷେପ ନେବାକୁ ସ୍ଥାନୀୟ ଚାଷୀ ମହଲରୁ ଦାବି କରାଯାଇଛି।