କପିଚାଷ ପ୍ରଶିକ୍ଷଣ

ଡ. ମନୋରଞ୍ଜନ ପ୍ରଧାନ

ପରୀକ୍ଷାରେ କପି ବା ନକଲ କରିବା ଏକ ଦଣ୍ଡନୀୟ ଓ ନିନ୍ଦନୀୟ ଆଚରଣ। ଏହା ଏକ ପ୍ରକାର ସାମାଜିକ ଓ ଆଇନଗତ ଅପରାଧ। ଏହା ଦ୍ୱାରା ଶିକ୍ଷାର୍ଥୀ ସମାଜରେ ନିନ୍ଦିତ ହେବା ସହ ନିଜ ଉପରେ ଥିବା ଭରସା ହରାଇ ବସେ। ଏହା ତାକୁ ଜୀବନ ସାରା ଠକିବା ପାଇଁ ଖୋରାକ ଯୋଗାଏ। ଫଳରେ ଶିକ୍ଷାର୍ଥୀର ବ୍ୟକ୍ତିଗତ କ୍ଷତି ହେବା ସହ ସମାଜ ତଥା ରାଷ୍ଟ୍ରର ମଧ୍ୟ ଅପୂରଣୀୟ କ୍ଷତି ଘଟେ। ଏ ସମ୍ବନ୍ଧରେ ଦକ୍ଷିଣ ଆଫ୍ରିକାର ଏକ ବିଶ୍ୱବିଦ୍ୟାଳୟର ପ୍ରବେଶ ଦ୍ୱାରରେ ଅତି ଶିକ୍ଷଣୀୟ କଥା ଲେଖାଯାଇଛି-Destroying any nation does not require the use of atom bomb or the use of long range missiles. It only requires lowering the quality of education and allowing cheating in the examination by the students. ଏହି ଆପ୍ତବାକ୍ୟ ଦୁଇଟି କଥା ସୂଚାଉଛି। ଯଥା-ଉତ୍ତମ ତଥା ଗୁଣାତ୍ମକ ଶିକ୍ଷା ଓ ନିରପେକ୍ଷ ମୂଲ୍ୟାୟନ ବ୍ୟକ୍ତି ନିର୍ମାଣ ଓ ରାଷ୍ଟ୍ର ଗଠନର ଆଧାରଶିଳା। ଅର୍ଥାତ ଗୋଟିଏ ଦେଶ ଅତି ସହଜ ଓ ସୁବିଧାରେ ପରମ ବୈଭବଶାଳୀ ହୋଇପାରିବ ଯଦି ତା’ର ଶିକ୍ଷା ବ୍ୟବସ୍ଥା ଉତ୍ତମ ଓ ଗୁଣାତ୍ମକ ହେବ। ଅପରପକ୍ଷେ, ଯଦି ଶିକ୍ଷା ତା’ର ଗୁଣାତ୍ମକ ମାନ ହରେଇବ ଏବଂ ପରୀକ୍ଷା ବ୍ୟବସ୍ଥା କପି ବା ନକଲ ଆଧାରିତ ହେବ, ତେବେ ସେ ଦେଶକୁ ଧ୍ୱଂସ କରିବାକୁ କୌଣସି ପରମାଣୁ ବୋମା ଅଥବା ଦୂରଗାମୀ ବା ଦ୍ରୁତଗାମୀ କ୍ଷେପଣାସ୍ତ୍ରର ଆବଶ୍ୟକ ପଡିବ ନାହିଁ। ସରଳ ଭାବରେ କହିଲେ, ଯେଉଁ ଦେଶ ଶିକ୍ଷା ପରିବର୍ତ୍ତେ ସାକ୍ଷରତା ଓ ତଥ୍ୟ ରଟା, ଶିଶୁର ସର୍ବାଙ୍ଗୀନ ବିକାଶ ପରିବର୍ତ୍ତେ ମାର୍କ/ଗ୍ରେଡ ଉପରେ ଜୋର ଦିଏ, ସେ ଦେଶର ଭାଗ୍ୟ ଓ ଭବିଷ୍ୟତ ତମସାଚ୍ଛନ୍ନ । ବିଶେଷକରି, ପରୀକ୍ଷାରେ ଉତ୍ତୀର୍ଣ୍ଣ ହାର ବୃଦ୍ଧି ବା ଅଧିକ ମାର୍କ ରଖି ବାହାବା ନେବାର ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା ଲକ୍ଷ୍ୟରେ ଯଦି ପିଲାଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କପି କରିବାର ସୁଯୋଗ ଦିଆଯାଏ, ତେବେ ସେ ଦେଶ ଧୂଳିସାତ ହେବାରେ କେହି ବଞ୍ଚେଇ ପାରିବେ ନାହିଁ।
ମନେପଡୁଛି ପିଲାବେଳେ ସାହିତ୍ୟରେ ପଡିଥିବା ଏକ କବିତାର ସାରମର୍ମ । ଥରେ ଜଣେ ପରିଦର୍ଶକ ବିଦ୍ୟାଳୟ ପରିଦର୍ଶନରେ ଆସି ପିଲାଙ୍କୁ କିଛି ଲେଖିବାକୁ ଦେଲେ। ପିଲାମାନେ ନିଜ ନିଜ ଖାତାରେ ଉତ୍ତର ଲେଖିବାରେ ବ୍ୟସ୍ତ। କିନ୍ତୁ ଶ୍ରେଣୀରେ ବସିଥିବା ମୋହନ ପ୍ରଶ୍ନ ଗୁଡିକର ଉତ୍ତର ବୁଝି ନ ପାରି ଚୁପଚାପ ବସିଥିଲେ। ଶିକ୍ଷକ ପାଖ ପିଲାଠାରୁ ଦେଖି ଲେଖିବାକୁ ସଙ୍କେତ ଦେଲେ। କିନ୍ତୁ ପିଲାଟି ଅନ୍ୟର କପି ନ କରି ସେମିତି ବସି ରହିଲା। ପରିଦର୍ଶକ ଯିବାପରେ ଶିକ୍ଷକ ବିରକ୍ତ ହେଲେ। କବିଙ୍କ ଭାଷାରେ- ଚାଲିଗଲେ ପରିଦର୍ଶକ ପୁଣି କ୍ଷଣକ ପରେ, ତିଆରି ତାହାକୁ କହିଲେ ଗୁରୁ ବିରକ୍ତ ଭରେ/ଏଡିକି ନିର୍ବୋଧ ପିଲା ତୁ ଠାର ବୁଝିଲୁ ନାହିଁ,ଦେଖି ଲେଖିଥିଲେ ସୁନାମ ସିନା ଥାଆନ୍ତୁ ପାଇ। ପ୍ରତ୍ୟୁତ୍ତରରେ ପିଲାଟି କହିଲା- ବିନୟେ କହିଲା ପିଲାଟି କପି କରିବା ପରା,ଅନ୍ୟାୟ ଭିତରେ ଗୁରୁଜୀ ବଡ ଅନ୍ୟାୟ ଧରା/କରିଥାନ୍ତି ଅବା କିଭଳି ଏଡେ ଅନୀତି କାମ, ଅସତ ପଥରେ ଚଳିକି କେହି ଅରଜେ ନାମ। ପିଲାଦିନୁ ସତ୍ୟର ପଥିକ ଥିବା ସେ କୁନି ଶିଶୁ ପରବର୍ତ୍ତୀ ସମୟରେ ଆମ ସମସ୍ତଙ୍କ ବାପୁଜୀ ବା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଭାବେ ସାରା ଜଗତରେ ବିଖ୍ୟାତ ହେଲେ। ତେବେ କପି କରିବା କିଭଳି ପାପ ଓ ଅନ୍ୟାୟ ଏହା ଗାନ୍ଧିଜୀଙ୍କ ଜୀବନୀରୁ ଜାଣିବା ସହ ଆମ ସାମାଜିକ ଶୃଙ୍ଖଳା ସମ୍ବନ୍ଧରେ ମଧ୍ୟ ସୂଚନା ମିଳେ। ତେବେ ବର୍ତ୍ତମାନ ଆମ ଶିକ୍ଷା ବ୍ୟବସ୍ଥା କେତେ ଗୁଣାତ୍ମକ ଓ କପି ମୁକ୍ତ ତାହା ଆତ୍ମ-ସମୀକ୍ଷା କରିବା ଆବଶ୍ୟକ।
ସତ କହିବାକୁ ଗଲେ ଆଜିକାଲି ପିଲାଙ୍କ ମାର୍କ/ଗ୍ରେଡ ପାଇଁ ସମସ୍ତେ ବ୍ୟାକୁଳ ଓ ଉଦ୍‌ବିଗ୍ନ ।
କୌଣସି ଉପାୟରେ ମଧ୍ୟ ପିଲାମାନେ କିପରି ପରୀକ୍ଷାରେ ଭଲ ନମ୍ବର ରଖିବେ, ସେଥିପାଇଁ ମାତାପିତା, ଶିକ୍ଷୟିତ୍ରୀ ଶିକ୍ଷକ, ନିଜେ ଶିକ୍ଷାର୍ଥୀ ଏପରି କି ପ୍ରଶାସନ ମଧ୍ୟ ତତ୍ପର। ସେଥିପାଇଁ କୋମଳମତି ବାଳକ ବାଳିକାମାନଙ୍କୁ ଦିନରାତି ତଥ୍ୟ ରଟେଇବାରେ କୌଣସି ସୁଯୋଗର ହାତଛଡା କରିବାକୁ ଚାହାନ୍ତି ନାହିଁ ମାତାପିତା। ତଥ୍ୟ ଘୋଷି ଘୋଷି ବିଚରା ପିଲାମାନେ ନିଜ ପିଲାଳିଆମି, ଚପଳତା,ଖେଳକୁଦ ତଥା ସାଙ୍ଗସୁଖ କ’ଣ ଭୁଲି ଯାଉଛନ୍ତି । ଏଭଳି ପରିସ୍ଥିତିରେ ପିଲାଙ୍କ ମୌଳିକ ଚିନ୍ତନ,ସୃଜନଶୀଳ ମନନ, ବିଶ୍ଲେଷଣାତ୍ମକ ଭାବନା, ଅଭିନବ ତଥା ବୈଜ୍ଞାନିକ ଦୃଷ୍ଟିକୋଣ ଇତ୍ୟାଦି କେଉଁଠି ନା କେଉଁଠି ଲୋକଲୋଚନକୁ ଆସିବାକୁ ସଂଘର୍ଷରତ। ସବୁଠାରୁ ସମ୍ବେଦନଶୀଳ କଥା ହେଉଛି ବେଳେବେଳେ ପ୍ରତ୍ୟକ୍ଷ ବା ପରୋକ୍ଷରେ,ଜ୍ଞାତ ବା ଅଜ୍ଞାତରେ ପିଲାମାନେ ପରୀକ୍ଷାରେ ଠକିବା ବା କପି କରିବା ଭଳି ଦଣ୍ଡନୀୟ କାମ କରିବାକୁ ବିବଶ ହୋଇଥାନ୍ତି। ସ୍ପଷ୍ଟ ଭାବେ କହିଲେ ବେଳେବେଳେ ଅଭିଭାବକ, ମାତାପିତା,ଶିକ୍ଷାଦାତା ଆଦିଙ୍କ ପ୍ରତ୍ୟକ୍ଷ ସହଯୋଗରେ ପିଲାମାନେ ଏଭଳି ନିନ୍ଦନୀୟ କାମ କରିଥାନ୍ତି, ଯାହାର ନଗ୍ନ ଉଦାହରଣ ସ୍ବରୂପ ଟିଭି ପରଦାରେ ବେଳେବେଳେ ଦେଖିବାକୁ ମିଳୁଛି। ପରୀକ୍ଷାବେଳେ ଝରକା ପଟୁ, ଛାତ ଉପରୁ,କୌଣସି କର୍ମଚାରୀକୁ ହାତର କରି କିମ୍ବା ଅନ୍ୟ କୌଣସି ଚଞ୍ଚକତା କରି ପିଲାଙ୍କ ମାର୍କ ବଢେଇବା ପାଇଁ ପ୍ରୟାସ କରେଇବାର କଳଙ୍କିତ ଦୃଶ୍ୟ ସମାଜକୁ ଯନ୍ତ୍ରଣା ଦେଇଥାଏ। କୌଣସି ଏକ ଖବରକାଗଜରେ ବ୍ୟଙ୍ଗୋକ୍ତି ପ୍ରକାଶ କରି କେହି ଜଣେ ଲେଖିଥିଲେ- ପିଲା ଦେଉଅଛି ଶିକ୍ଷାରେ ପରୀକ୍ଷା ବାପା ଯୋଗାଉଛି କପି, ମାଷ୍ଟର କରୁଛି ପ୍ରଶ୍ନ ଭାଇରାଲ ମୋବାଇଲ ଚିପିଚିପି/କପି ନାମ ଜପିଜପି, ପିଲାଏ ଡେଇଁଲେ ପରୀକ୍ଷା ସମୁଦ୍ର ଜୀବନ ହେବ କି ହାପି? ।
ଏହା ବ୍ୟଙ୍ଗ ହେଲେ ମଧ୍ୟ ଚିନ୍ତାଶୀଳ। କିନ୍ତୁ ସବୁର ମୂଳେ ମାର୍କ ବା ଗ୍ରେଡର ଖେଳ। ଅବଶ୍ୟ ଏହାଦ୍ୱାରା ମାର୍କ ଆଣିବାରେ ପିଲାମାନେ କିଛିକାଂଶରେ ସଫଳ ହେଉଛନ୍ତି। କିନ୍ତୁ ବ୍ୟକ୍ତିଗତ ଭାବେ ପିଲା ଏବଂସାମୂହିକ ଭାବେ ଦେଶ ଓ ସମାଜର ଅପୂରଣୀୟ କ୍ଷତି ହୋଇଥାଏ। ଆଜିକାଲି ଏମିତି ବି ଦୃଶ୍ୟ ଦେଖିବାକୁ ମିଳୁଛି ଯେଉଁଠି ପରୀକ୍ଷାର୍ଥୀମାନେ କପି କରିବାକୁ ଆନ୍ଦୋଳନ ତଥା ଅନଶନ କରିବାକୁ ପଛାଉ ନାହାନ୍ତି। ତେବେ ଏଭଳି ମାନସିକତା ସୃଷ୍ଟିର ଅନ୍ତୁଡ଼ିଶାଳ ବା ଷଠିଘର ତଥା କପିଚାଷର ଉଦ୍‌ଗମ ସ୍ଥଳ ସମ୍ବନ୍ଧରେ ବର୍ତ୍ତମାନ ଆଲୋଚନା କରିବା।
କରୋନା କାଳରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଲା। ତେଣୁ ଅନ୍‌ଲାଇନ୍‌ ଜରିଆରେ ଶିକ୍ଷାଦାନ ଓ ପରୀକ୍ଷା ଏକମାତ୍ର ବିକଳ୍ପ ଭାବେ ସମସ୍ତେ ଆଦରି ନେବାକୁ ବାଧ୍ୟହେଲେ। ଅନଲାଇନ୍‌ ପରୀକ୍ଷାର ଏକ ଜୀବନ୍ତ ଉଦାହରଣ କିପରି ନିଷ୍କପଟ ଶିଶୁମାନଙ୍କୁ କପି ଭଳି ନିନ୍ଦନୀୟ କାମପାଇଁ ପ୍ରଶିକ୍ଷଣ ଦେଇଛି ତା’ର ଏକ ଉଦାହରଣ ଉପସ୍ଥାପନ କରୁଛି। ଏକ ଘରୋଇ ବିଦ୍ୟାଳୟର ଶିକ୍ଷକଙ୍କ ଦ୍ୱାରା ପ୍ରାକ୍‌-ବିଦ୍ୟାଳୟ ସ୍ତରରେ ଅନଲାଇନ୍‌ ମୌଖିକ ପରୀକ୍ଷା ଚାଲିଥାଏ ଇଂଲିଶ ଏବଂ ଗଣିତ ବିଷୟରେ। ମିସ୍‌ ପିଲାଙ୍କୁ ଏ ରୁ ଏଲ କହିବା ସହ କୌଣସି ଏକ ରାଇମ୍‌ ଆବୃତ୍ତି କରିବାକୁ ନିର୍ଦ୍ଦେଶ ଥାଏ। ସେହିଭଳି ଗଣିତ ବିଷୟରେ ଜିରୋ ରୁ ଫାଇଭ ସ୍ପେଲିଙ୍ଗ ସହ କହିବାକୁ ସୂଚନା ଥାଏ। ଜଣ ଜଣ କରି କୁନି କୁନି ପିଲାମାନେ ଖନେଇ ଖନେଇ କହୁଥାନ୍ତି ମୁଖସ୍ଥ ପାଠ। ଜଣେ ପିଲା କହୁ କହୁ କହିଲା-ମମି ଠିକରେ ଦେଖାଅ ମୋତେ ଦେଖାଯାଉନି। ବୋଧହୁଏ ପୂର୍ବ ପ୍ରଶିକ୍ଷଣ ମୁତାବକ ପିଲାଟିକୁ ସହାୟତା କରିବା ପାଇଁ ମାଆ କିଛି ସହାୟକ ପାଠ୍ୟବସ୍ତୁ ଦେଖଉ ଥିଲେ। ସେହିଭଳି ଆଉ ଗୋଟେ ସରଳ ନିଷ୍ପାପ ପିଲା କହିଲା-ଟିକେ ଜୋରରେ କୁହ ମାଆ ମୁଁ ଶୁଣି ପାରୁନି। ବିଚରା ମାଆଦ୍ୱୟ ଧରା ପଡ଼ିଗଲେ। କିନ୍ତୁ ପ୍ରଶ୍ନ ହେଉଛି କୁନି ପିଲାମାନଙ୍କର ମାର୍କ କମିଗଲେ କ’ଣ ସମ୍ମାନ ହାନି ହୋଇଯିବ ନା ଚାକିରି ପାଇବାରୁ ବଞ୍ଚିତ ହୋଇଯିବ। ବରଂ ଏହି କପିଚାଷ ପ୍ରଶିକ୍ଷଣ ପିଲାଙ୍କ ଭିତରେ ଏକ ପ୍ରବଣତା ସୃଷ୍ଟି ହୁଏ। ବାପା କହିଲେ ବାପା ଘରେ ନାହାନ୍ତି ଭଳି ଛୋଟ ବାକ୍ୟଟି ଦିନେ ପିଲାଙ୍କୁ ମିଛୁଆ କରିଦିଏ। ପରେ ମାତାପିତାଙ୍କ ସବୁ ନୀତିବାଣୀ, ପ୍ରବଚନ ବା ନାଲି ଆଖି କିଛି କାମରେ ଆସେନି।
ମାତାପିତାଙ୍କର ଛୋଟ ଛୋଟ ଭୁଲ୍‌ ପିଲାଙ୍କୁ ଅବାଟରେ ନେଇଯାଏ। ବେଳେବେଳେ ଶିକ୍ଷକମାନେ ମଧ୍ୟ ନିଜ ଉଦାରପଣ ପ୍ରଦର୍ଶନ ହେଉ କିମ୍ବା ମାର୍କ ବଢେଇବାର ଲକ୍ଷ୍ୟରେ କପି ଭଳି ଅସାଧୁ ଆଚରଣର ପ୍ରଶିକ୍ଷକ ସାଜିଯାନ୍ତି; ଫଳରେ ସମାଜ ତଥା ଦେଶକୁ ଅନେକ ଦାମ୍‌ ଦେବାକୁ ପଡେ। ମାଗି ଅଣା ତିଅଣ ଆଉ ପର ଶିକ୍ଷା ବୁଦ୍ଧି କ୍ଷଣସୁଖ ମାତ୍ର। ତେଣୁ ପିଲାଙ୍କ ଶୁଭକାଙ୍‌କ୍ଷୀ ଭାବେ ମାତାପିତା, ଶିକ୍ଷାଦାତା ପିଲାଙ୍କୁ ନିଜେ କିଛି କରିବାର କୌଶଳ ଶିଖାନ୍ତୁ। ମାଛ ଆଣି ଭଲଭାବେ ରାନ୍ଧି ଖାଇବାକୁ ଦେଇ ତୃପ୍ତି କରେଇବା ଅପେକ୍ଷା ପିଲାଙ୍କୁ ମାଛ ଧରିବା ଏବଂ ଖାଦ୍ୟ ପ୍ରସ୍ତୁତି କରିବାର କୌଶଳ ଶିଖେଇଦେଲେ, ପିଲାମାନେ ଜୀବନଭରି ସେହି ସ୍ବାଦର ପରଶ ଉପଭୋଗ କରିପାରିବେ। ଶୁଭକାମନା କରୁଥିବା ବ୍ୟକ୍ତିଗଣ ପିଲାଙ୍କୁ ଏହା ଶିକ୍ଷା ଦେବେ,ଏତିକି କାମନା।
ଅଧ୍ୟାପକ, ସରକାରୀ ମହିଳା ମହାବିଦ୍ୟାଳୟ
ଜୟପୁର, କୋରାପୁଟ
ମୋ: ୯୪୩୭୯୧୪୮୧୮