Categories: ଖେଳ

କପିଳଙ୍କ ନୂଆ ଲୁକ୍‌ରେ ଧୋନୀ, ରିଚାଡର୍‌ସଙ୍କ ଛାପ

ନୂଆଦିଲ୍ଲୀ, ୨୬।୪ (ପି.ଟି.): ଭାରତୀୟ ପୂର୍ବତନ ଅଧିନାୟକ କପିଳ ଦେବଙ୍କୁ ଏବେ ନୂଆ ଲୁକ୍‌ରେ ଦେଖିବାକୁ ମିଳିଛି। ସମ୍ପୂର୍ଣ୍ଣ ରୂପେ ଲଣ୍ଡା ହେବା ସହ କିଛି ଦାଢି ରଖିଛନ୍ତି। ଏହି ଲୁକ୍‌ରେ ମହେନ୍ଦ୍ର ସିଂ ଧୋନୀ ଓ ପୂର୍ବତନ ଓ୍ବେଷ୍ଟଇଣ୍ଡିଜ୍‌ କିମ୍ବଦନ୍ତୀ କ୍ରିକେଟର ଭିଭିଆନ ରିଚାଡର୍‌ସଙ୍କ ଛାପ ରହିଛି। ସେ ମଧ୍ୟ ଏହାକୁ ସ୍ବୀକାର କରିଛନ୍ତି। ରିଚାଡର୍‌ସ ଓ ଧୋନୀଙ୍କଠାରୁ ପ୍ରେରିତ ହୋଇ ଏହି ଲୁକ୍‌ ଅପଣାଇଛି ବୋଲି ସେ କହିଛନ୍ତି। ରିଚାଡର୍‌ସ ହେଉଛନ୍ତି ମୋର ହିରୋ। ତେଣୁ ତାଙ୍କୁ ଅନୁସରଣ କରିବାରେ କିଛି ଅସୁବିଧା ନାହିଁ। ଧୋନୀ ମଧ୍ୟ ମୋର ହିରୋ। ୨୦୧୧ ବଶ୍ୱକପ୍‌ ବିଜୟ ପରେ ଧୋନୀ ସମ୍ପୂର୍ଣ୍ଣ ରୂପେ ଲଣ୍ଡା ହୋଇଥିଲେ। ତେଣୁ ଏହି ଖେଳାଳିଙ୍କୁ ଲକ୍ଷ୍ୟ କରି ଚୁଟି କାଟିଛି ବୋଲି କପିଲ କହିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଏ ନେଇ ଏକ ଭିଡିଓ ଟୁଇଟ୍‌ କରିଛି।
ଏହି ଟୁଇଟ୍‌ ଦେଖି ରିଚାଡର୍‌ସ ମଧ୍ୟ କପିଳଙ୍କୁ ସମର୍ଥନ କରିଛନ୍ତି। ଅବସର ନେବା ପରେ ରିଚାଡର୍‌ସ ମଧ୍ୟ ଲଣ୍ଡା ହେବା ସହ ସାମାନ୍ୟ ଦାଢି ରଖୁଥିଲେ ଓ ଠିକ୍‌ ଏହି ଲୁକ୍‌ ଆପଣାଇଥିଲେ। କପିଳ ଓ ରିଚାଡର୍‌ସ କ୍ରିକେଟ ପଡିଆରେ ଏକାଧିକ ବାର ମୁହଁାମୁହିଁ ହୋଇଛନ୍ତି। ୧୯୮୩ ବିଶ୍ୱକପ୍‌ରେ କପିଳଙ୍କ ନେତୃତ୍ୱରେ ଭାରତ ଫାଇନାଲରେ ସେତେବେଳର ଶକ୍ତିଶାଳୀ ଦଳ ଓ୍ବେଷ୍ଟଇଣ୍ଡିଜକୁ ହରାଇ ପ୍ରଥମଥର ପାଇଁ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଥିଲା। ଏହା ଥିଲା ବିଶ୍ୱକପର ତୃତୀୟ ସଂସ୍କରଣ। ପ୍ରଥମ ଦୁଇଟି ସଂସ୍କରଣରେ ଓ୍ବେଷ୍ଟଇଣ୍ଡିଜ ବିଜୟୀ ହୋଇ କ୍ରମାଗତ ଦ୍ୱିତୀୟଥର ପାଇଁ ଚାମ୍ପିୟନ ହୋଇଥିଲା। ତେବେ ଫାଇନାଲରେ ଭାରତଠାରୁ ହାରିବା ପରେ ଓ୍ବେଷ୍ଟଇଣ୍ଡିଜର ହ୍ୟାଟ୍ରିକ ଟାଇଟଲ ଆଶା ଧୂଳିସାତ୍‌ ହୋଇଥିଲା।

Share