Categories: ଖେଳ

କପିଳ ଦେବ ହେଲେ କୁଳପତି

ଚଣ୍ଡିଗଡ଼, ୧୪ା୯ (ପି.ଟି.)-ସୋନିପତ ଜିଲାର ରାଇଠାରେ ଅବସ୍ଥିତ ହରିୟାଣା ସ୍ପୋଟର୍‌ସ ୟୁନିଭର୍ସିଟିର ପ୍ରଥମ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି କ୍ରିକେଟ କିମ୍ବଦନ୍ତୀ କପିଳ ଦେବ। ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଅନିଲ ଭିଜ୍‌ ଶନିବାର ଏବିଷୟରେ ଟୁଇଟ୍‌ କରିଛନ୍ତି। କୌଣସି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହା ହେଉଛି ଦେଶର ତୃତୀୟ ସ୍ପୋଟର୍‌ସ ୟୁନିଭର୍ସିଟି। ଅନ୍ୟ ଦୁଇଟି ହେଲା ସ୍ବର୍ଣ୍ଣିମ ଗୁଜରାଟ ସ୍ପୋଟର୍‌ସ ୟୁନିଭର୍ସିଟି(ଗାନ୍ଧୀ ନଗର) ଏବଂ ତାମିଲନାଡୁ ଫିଜିକାଲ ଏଜୁକେଶନ ଆଣ୍ଡ୍‌ ସ୍ପୋଟର୍‌ସ ୟୁନିଭର୍ସିଟି(ଚେନ୍ନାଇ)। ରାଇ(ସୋନିପତ୍‌) ସ୍ଥିତ ସ୍ପୋଟର୍‌ସ ସ୍କୁଲକୁ ଏକ କ୍ରୀଡ଼ା ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବ ବୋଲି ଭିଜ୍‌ ପୂର୍ବରୁ ଘୋଷଣା କରିଥିଲେ। ନିକଟରେ ରାଜ୍ୟ କ୍ୟାବିନେଟରେ ଏହି ପ୍ରସ୍ତାବ ଅନୁମୋଦନ ଲାଭ କରିଥିଲା। ଭିଜ୍‌ କହିଛନ୍ତି, ବିଶ୍ୱବିଦ୍ୟାଳୟରେ ଶାରୀରିକ ଶିକ୍ଷା ଏବଂ ଖେଳ ବିଜ୍ଞାନରେ ଏକାଡେମିକ ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେବ, ଯେଉଁଥିରେ ସ୍ପୋଟର୍‌ସ ଟେକ୍ନୋଲୋଜି ଅନ୍ତର୍ଭୁକ୍ତ। ପାଠ୍ୟକ୍ରମରେ ସ୍ପୋଟର୍‌ସ ମ୍ୟାନେଜମେଣ୍ଟ ଟ୍ରେନିଂ, ସ୍ପୋଟର୍‌ସ ଇନ୍‌ଫ୍ରାଷ୍ଟ୍ରକ୍ଚର ଇଂଜିନିୟରିଂ, ସ୍ପୋଟର୍‌ସ ସାଇକୋଲୋଜି, ସ୍ପୋଟର୍‌ସ ନ୍ୟୁଟ୍ରିଶନ, ସ୍ପୋଟର୍‌ସ ଜର୍ନାଲିଜମ ଏବଂ ସ୍ପୋଟର୍‌ସ ମାର୍କେଟିଂ ସାମିଲ କରାଯାଇଛି।

Share