କପ୍ତିପଦା ତହସିଲ୍‌ ଆଗରେ ବିକ୍ଷୋଭ

କପ୍ତିପଦା,୭ା୧(ଡ଼ି.ଏନ୍‌.ଏ.)- ଅଲ୍‌ ଇଣ୍ଡିଆ କିଷାନ୍‌ କ୍ଷେତ ମଜଦୁର ସଂଗଠନ (ଏଆଇକେକେଏମ୍‌ଏସ୍‌) ପକ୍ଷରୁ କପ୍ତିପଦା ତହସିଲଦାରଙ୍କ ଅଫିସ୍‌ ସମ୍ମୁଖରେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହଜାର ହଜାର ସଂଖ୍ୟାରେ ଆଦିବାସୀ ମହିଳା, ପୁରୁଷ, ଛୋଟଛୋଟ ପିଲାମାନେ ବିକ୍ଷୋଭରେ ସାମିଲ ହୋଇଥିଲେ। ବିକ୍ଷୋଭ ପୂର୍ବରୁ ସ୍ଥାନୀୟ ଗାନ୍ଧୀ ଛକଠାରୁ ହାତରେ ପ୍ଲାକାର୍ଡ଼, ବ୍ୟାନର୍‌ ଧରି ଦଖଲୀକୃତ ଜମିକୁ ପଟ୍ଟା ଦିଅ, ଏନ୍‌କ୍ରୋଚ୍‌ମେଣ୍ଟ୍‌ ଫାଇନ୍‌ ବନ୍ଦ କର ଆଦି ଦାବି ନେଇ କପ୍ତିପଦା ତହସିଲଦାରଙ୍କ ଅଫିସ୍‌ ସମ୍ମୁଖରେ ସମବେତ ହୋଇଥିଲେ। ଏଆଇକେକେଏମ୍‌ଏସ୍‌ର ମୟୂରଭଞ୍ଜ ଜିଲା କମିଟି-୨ର ସଭାପତି କମ୍ରେଡ ସାଦ ବଦ୍ରାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ବିକ୍ଷୋଭ ସମାବେଶରେ ମୁଖ୍ୟବକ୍ତାଭାବେ ଅଲ୍‌ ଇଣ୍ଡିଆ କିଷାନ୍‌ କ୍ଷେତ ମଜଦୁର ସଂଗଠନର ରାଜ୍ୟ ସମ୍ପାଦକ କମ୍ରେଡ ରଘୁନାଥ ଦାସ ଯୋଗଦେଇ ପୁରୁଷାନୁକ୍ରମେ ଦଖଲ କରିଆସୁଥିବା ଆଦିବାସୀମାନଙ୍କ ଜମି ସେମାନଙ୍କ ନାମରେ ପଟ୍ଟା ଦେବା ପରିବର୍ତ୍ତେ ବନୀକରଣ, ଶିଳ୍ପାୟନ ଆଦି ନାଁରେ କିଭଳି ଭାବେ ସେମାନଙ୍କ ଭିଟାମାଟିରୁ ଉଚ୍ଛେଦ କରାଯାଉଛି, ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବା ସହିତ ସେମାନଙ୍କ ଜମି ପଟ୍ଟା ଦେବା ଦାବିରେ ଦୀର୍ଘସ୍ଥାୟୀ ଗଣ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଆହ୍ବାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଜିଲା ସମ୍ପାଦକ କମ୍ରେଡ ବାଙ୍ଗରା ଉଗ୍ରସାଣ୍ଡି, ଏସ୍‌ୟୁସିଆଇ(କମ୍ୟୁନିଷ୍ଟ୍‌)ର କପ୍ତିପଦା ଆଞ୍ଚଳିକ କମିଟିର ସମ୍ପାଦକ ତଥା ବରିଷ୍ଠ କୃଷକ ନେତା କମ୍ରେଡ ଶ୍ୟାମ ବାନରା, ସୁବୁଦ୍ଧିଆ ହାଇବୁରୁ, ଯୁବରାଜ ସାମାଡ଼ ଓ ଉଦୟ ସାମାଡ଼ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ୬ଦଫା ଦାବି ସମ୍ବଳିିତ ଏକ ସ୍ମାରକପତ୍ର କପ୍ତିପଦା ତହସିଲଦାରଙ୍କୁ ପ୍ରଦାନ କରିଥିଲେ।

Share