କଫ ସମସ୍ୟାର ଘରୋଇ ଉପଚାର

କଫଜନିତ ସମସ୍ୟାର ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଇବା ଦରକାର। ହେଲେ ଏପରି କେତେକ ଘରୋଇ ଉପାୟ ରହିଛି ଯାହାକୁ ଆପଣେଇ ଜଣେ କଫ ସମସ୍ୟାର ପ୍ରାରମ୍ଭିକ ଅବସ୍ଥାରେ ସେଥିରୁ ଉପଶମ ଲାଭ କରିପାରିବ। ଅଧା କପ ଉଷୁମ ପାଣିରେ ଏକ ଚାମଚ ହଳଦୀ ଗୁଣ୍ଡ, ଏକ ଚାମଚ ଗୋଲମରିଚ ଗୁଣ୍ଡ ଏବଂ ଏକ ଚାମଚ ମହୁ ମିଶାଇ ଏହାକୁ କିଛି ସମୟ ଗରମ କରି ପିଅନ୍ତୁ। ଏହାଦ୍ୱାରା କଫଜନିତ ସମସ୍ୟାରୁ ଉପଶମ ମିଳିଥାଏ। ଅଦାକୁ ଛୋଟ ଛୋଟ ଆକାରରେ କାଟି ପାଣିରେ ମିଶାଇ ସେହି ମିଶ୍ରଣ ପାଣିକୁ ପିଅନ୍ତୁ। ଦେଖିବେ, କାଶରୁ ଅନେକାଂଶରେ ଲାଘବ ମିଳିବ। ଏହାବ୍ୟତୀତ ଅଦା ରସରେ ମହୁ ଏବଂ ଲେମ୍ବୁ ମିଶାଇ ପିଇବା ଦ୍ୱାରା କଫ ସମସ୍ୟା ଦୂର ହୋଇଥାଏ। ଦୁଇ ଚାମଚ ଲେମ୍ବୁ ରସରେ ଏକ ଚାମଚ ମହୁ ମିଶାଇ ତାକୁ ଉଷୁମ କରି ପିଇଲେ କାଶରୁ ଉପଶମ ମିଳିଥାଏ। ଅଧା ଚାମଚ ପିଆଜ ରସରେ ଏକ ଚାମଚ ମହୁ ମିଶାଇ ଦିନକୁ ଦୁଇ ଥର ପିଇଲେ କାଶ ସହ ଥଣ୍ଡା ସମସ୍ୟା ଦୂର ହୋଇଥାଏ।