ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏହାର ସଂକ୍ରମଣ ନେଇ ବିଭିନ୍ନ ସମୟରେ ବହୁ ଗୁଜବ ମଧ୍ୟ ଶୁଣିବାକୁ ମିଳୁଛି। ତେବେ ସଂକ୍ରମିତଙ୍କ ସହିତ ସିଧାସଳଖ ସମ୍ପର୍କରେ ଆସିଲେ ଏହାର ସଂକ୍ରମଣ ହୋଇଥାଏ। ତେବେ କବାଟ ନବ୍-ମୋବାଇଲ୍-ଲାପଟପ୍ ଦ୍ୱାରା ବି ଏହାର ଭୂତାଣୁ ସଂକ୍ରମିତ ହୋଇଥାଏ। ତେଣୁ ପ୍ରତିଦିନ ଏସବୁକୁ ସାନିଟାଇଜ୍ କରାଯିବା ଦରକାର। ପିନ୍ଧା ଯାଉଥିବା ପୋଷାକକୁ ପ୍ରତିଦିନ ଧୋଇବାର ଆବଶ୍ୟକତା ରହିଛି। ସେହିପରି ପିନ୍ଧାଯାଉଥିବା ଜୋତା, ଚପଲ୍, ଘଣ୍ଟା ଆଦିକୁ ପ୍ରତିଦିନ ସାନିଟାଇଜ୍ କରାଯିବା ଆବଶ୍ୟକ। ଭୂତାଣୁ ବାୟୁରେ କିଛି ସମୟ ବାୟୁରେ ରହିବା ପରେ ଧୀରେଧୀରେ ଭୂଭାଗକୁ ଆସିଥାଏ। ଏହା ବାୟୁ ମଣ୍ଡଳରେ ୩ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିଥାଏ। ସେହିପରି ତମ୍ବାରେ ୪ ଘଣ୍ଟା, କାଡବୋର୍ଡରେ ୨୪ ଘଣ୍ଟା, ପ୍ଲାଷ୍ଟିକ୍, କାଚ ଏବଂ ଷ୍ଟିଲ୍ରେ ୭୨ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରୁହେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। କରୋନାକୁ ଭୟ ନ କରି ବିଧିବଦ୍ଧ ଭାବେ କିଛି ସଚେତନତା ଅବଲମ୍ବନ କଲେ ଏଥିରୁ ସହଜରେ ଦୂରେଇ ହୋଇ ରହିବା ସମ୍ଭବ ହୋଇଥାଏ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି।