କବିକସ୍ତୁରୀ ଫାଉଣ୍ଡେଶନର ବାର୍ଷିକୋତ୍ସବ: ‘ହାଡ଼ିବନ୍ଧୁ ପାଢ଼ୀ ଙ୍କୁ ବିଚାରକ ମଉଡ଼ମଣି ସମ୍ମାନ

କଣାସ,୧୬ା୧(ସ.ପ୍ର.): କଣାସ ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତରେ ଅବସ୍ଥିତ କବିକସ୍ତୁରୀ ଫାଉଣ୍ଡେଶନର ସପ୍ତଦଶତମ ବାର୍ଷିକ ଉତ୍ସବ ବୁଧବାର ବିଜୟ ବିହାରସ୍ଥିତ ଶିଶୁ ବିକାଶ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ ମୁଖ୍ୟଅତିଥି ଭାବେ ଜିଲା ପରିଷଦ ସଦସ୍ୟ ନୀଳମଣି ବେହେରା ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ଏକ ଆଲୋଚନାଚକ୍ର ଓ ସମ୍ବର୍ଦ୍ଧିତ ସଭା ଆୟୋଜିତ ହୋଇଥିଲା। ଶିକ୍ଷାବିତ ବାସୁଦେବ ହରିଚନ୍ଦନଙ୍କ ସଭାପତିତ୍ୱରେ ସାମାଜିକ କର୍ମୀ ଶ୍ରୀକାନ୍ତ ପଟ୍ଟଯୋଶୀ, ଶିକ୍ଷାବିତ ବିଜୟ ପ୍ରଧାନ, ବ୍ୟଙ୍ଗକବି କାଶୀନାଥ ପାଣିଗ୍ରାହୀ, ରମେଶ ଚନ୍ଦ୍ର ଉତ୍ତରକବାଟ, ସତ୍ୟବ୍ରତ ସାହୁ, ସାରଥୀ ଜେନା, ରଶ୍ମିତା ମିଶ୍ର, ଅନାଦି ଶ୍ରୀଚନ୍ଦନ, ନଟବର ବେହେରା ଓ ସାମ୍ବାଦିକ ହେମନ୍ତ ମହାରଥୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପୁରୀ ଜିଲାର ଜଣାଶୁଣା ଗ୍ରାମ୍ୟ ବିବାଦର ବିଚାରକ ହାଡିବନ୍ଧୁ ପାଢ଼ୀଙ୍କର ୩୦ ବର୍ଷ ଧରି ସାମାଜିକ, ଗ୍ରାମ୍ୟ ବିବାଦ, ପାରିବାରିକ ସମସ୍ୟା ସମାଧାନରେ ନିଷ୍ଠା ପାଇଁ ‘ବିଚାରକ ମଉଡ଼ମଣି’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିସହ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଗୋପୀନାଥପୁର, କାଦୁଆ, ବଡାଲ, ଦୋଛିଆଁ ପଞ୍ଚାୟତର ୨୦ଜଣ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରିବାସହ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ସମୀର ସାମନ୍ତରାୟ ,ସୋନାଲି ସାହୁ ,ଆନନ୍ଦ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଝୁନାରାଣୀ ସାହୁ ଧନ୍ୟବାଦ ଦେଇଥିଲେ।

Share