Categories: କଟକ

କବିତାରେ କରୋନା ସଚେତନ କଲେ ମାଧବାନନ୍ଦ

କଣ୍ଟାପଡା,୨୯ା୩(ଡି.ଏନ୍‌.ଏ.)- ମହାମାରୀ କରୋନା ଭୂତାଣୁରୁ ମାନବ ସମାଜକୁ ବଞ୍ଚାଇବା ପାଇଁ ସାରା ବିଶ୍ୱ ଏବେ ଚିନ୍ତିତ। ଦେଶବାସୀ ଘରେରହି ସାମାଜିକ ଦୂରତ୍ୱ ପାଳନ କଲେ ଏହି ମହାମାରୀରୁ ଦେଶ ରକ୍ଷା ପାଇବା ପାଇଁ ସରକାର ଲକ୍‌ଡାଉନର ସାହାରା ନେଇଛନ୍ତି। ଜନସାଧାରଣ ଏହାକୁ ଗୁରୁତର ସହ ନେଉ ନ ଥିବାରୁ ବିଭିନ୍ନ ବ୍ୟକ୍ତିବିଶେଷ ଭିନ୍ନ ଉପାୟରେ ସଚେତନତା କରିବାରେ ଲାଗିଛନ୍ତି। ସେହିଭଳି କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ଭୋଦଳ ଗ୍ରାମର ସାମାଜିକ କର୍ମୀ ମାଧବାନନ୍ଦ ଭୋଇ ବିଭିନ୍ନ ଅଞ୍ଚଳ ବୁଲି ଜନଗହଳି ହେଉଥିବା ସ୍ଥାନରେ କବିିତା ମାଧ୍ୟମରେ ସଚେତନତା କରୁଥିବାର ଦେଖିବାକୁ ମିଳିଛି। କବିତାରେ ସେ ଦେଶ ଉଦ୍ଦେଶ୍ୟରେ ସାଧାରଣ ଲୋକଙ୍କୁ ସାମାଜିକ ଦୂରତା, ବାରମ୍ବାର ସାବୁନ ବା ହ୍ୟାଣ୍ଡଓ୍ବାଶରେ ହାତ ଧୋଇବା, ଅତ୍ୟାବଶ୍ୟକ ନ ଥିଲେ ଘରୁ ନ ବାହାରିବା ପାଇଁ ଶପଥ ନେବାକୁ କୁହନ୍ତି। ଏହାସହ କରୋନା ଭୂତାଣୁଠାରୁ ଦୂରେଇ ରହିବା ପାଇଁ ବିଭିନ୍ନ ଉପାୟରେ ନିଜକୁ ସୁରକ୍ଷିତ ରଖିବାକୁ ଅତି ସରଳ ଭାଷାରେ କବିତା ମାଧ୍ୟମରେ ଶୁଣାଉଛନ୍ତି। କଣ୍ଟାପଡା ବ୍ଲକ ଅଞ୍ଚଳରେ ଥିବା ଅଡ଼ଶପୁର ଓ ପାଟସୁନ୍ଦରପୁର ହାଟରେ ଗତ ୩ଦିନ ହେଲା ସେ ଲୋକମାନଙ୍କୁ ଏଭଳି ସଚେତନତାର ବାର୍ତ୍ତା ବାଣ୍ଟିବାରେ ଲାଗିଛନ୍ତି। ତାଙ୍କର ଏହି ପ୍ରୟାସକୁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ସ୍ବାଗତ କରାଯାଇଛି।