Categories: ଗଞ୍ଜାମ

କବିସୂର୍ଯ୍ୟନଗରରେ ଚାଲିଛି ବେଆଇନ ଇଟାଭାଟି

କବିସୂର୍ଯ୍ୟନଗର,୧୭ା୫- କବିସୂର୍ଯ୍ୟନଗର ତହସିଲ ଅଞ୍ଚଳରେ ଚାଲିଛି ବେଆଇନ ଇଟାଭାଟି। ପୋଲିସ ଓ ତହସିଲ କର୍ତ୍ତୃପକ୍ଷ ସବୁ ଜାଣି ନୀରବ ରହୁଛନ୍ତି। ରାଜସ୍ବ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଏନ୍‌ଜିଟିର ନିର୍ଦ୍ଦେଶନାମା ପାଳନ ହେଉନି। ଏହା ଉପରେ ଦୃଢ଼ ପଦକ୍ଷେପ ନିଆଯାଉ ନ ଥିବାରୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହାନି ସହ ପରିବେଶ ପ୍ରଦୂଷିତ ହୋଇ ତାତି ବଢ଼ାଉଛି। ଫଳରେ ସାଧାରଣ ଜନଜୀବନ ପ୍ରଭାବିତ ହେଉଛି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଇଟାଭାଟି ନିଅଁା ଧାସ ଓ ଧୂଅଁା ଅଞ୍ଚଳବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ଦିନବେଳା ସାଧାରଣ ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରହୁଥିବା ବେଳେ ରାତିରେ ବି ତାତିରୁ ନିସ୍ତାର ପାଉନାହାନ୍ତି ଲୋକେ। ରାଜସ୍ବ ବିଭାଗର କୌଣସି କଟକଣାକୁ ଖାତିର ନ କରି କବିସୂର୍ଯ୍ୟନଗର ଅଞ୍ଚଳରେ ବେଆଇନ ପୋଡ଼ା ଇଟାଭାଟି ବ୍ୟବସାୟ ଚଳାଉଥିବା ଅଭିଯୋଗ ହେଉଛି । ବିଦ୍ୟାଳୟ, ଜନବସତି ଓ ଦାତବ୍ୟ ଅନୁଷ୍ଠାନ ନିକଟରେ ପୋଡ଼ା ଇଟାଭାଟି ଗଢ଼ି ଉଠୁଛି। ଆଠଗଡ଼, ବଡ଼ଆଗୁଳ, ଗୁଡ଼ିଆଳି, ଜରଡ଼, ପାଇକଯମୁନା, ଖଇଡ଼ା, ଆମ୍ବପୁଆ, ବଡ଼ମହୁରୀ, ବରିଡ଼ା ଏ. ଗଙ୍ଗାପୁର, କନିଆରୀ ଓ ସୁନାପଲ୍ଲୀ ଆଦି ବହୁ ପଞ୍ଚାୟତ, ଗ୍ରାମରେ ଶତାଧିକ ପୋଡ଼ା ଇଟାଭାଟି ଚାଲିଛି। ଏ ସମ୍ପର୍କରେ ତହସିଲଦାର ପ୍ରକାଶ ମିଶ୍ରଙ୍କୁ ପଚାରିବାରୁ ସେମାନଙ୍କୁ ନୋଟିସ ଦିଆଯାଇଛି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।