କବିସୂର୍ଯ୍ୟନଗର କାମଦେବ ହତ୍ୟା ମାମଲା: ୨୪ ବର୍ଷ ପରେ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୮।୧୨: ଏକ ହତ୍ୟା ମାମଲାରେ ଦୀର୍ଘ ୨୪ ବର୍ଷ ଧରି ନାମ ବଦଳାଇ ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ଏ. ହରି ଦାସ (୫୦)ଓ ତାଙ୍କ ଘର ଖୋଡାସିଂ ତୋଟାସାହି ବୋଲି ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି ସୂଚନା ଦେଇଛନ୍ତି। ଏକ ଆପରାଧିକ ଘଟଣାରେ ହରି ଗିରଫ ହୋଇ ଜେଲ ଯାଇଥିବାବେଳେ ସେଠାରେ କେତେକ ଅପରାଧୀଙ୍କ ସହ ତାଙ୍କର ସମ୍ପର୍କ ହୋଇଥିଲା । ଜେଲରୁ ଜାମିନରେ ଆସିବା ପରେ ସେ କବିସୂର୍ଯ୍ୟନଗର ଚାଲିଯାଇଥିଲେ । ଗତ ୧୯୯୫ ମଇ ୫ ତାରିଖରେ କାମଦେବ ନାୟକଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟା ଘଟଣାରେ ହରିଙ୍କ ସମ୍ପୃକ୍ତି ଥିବା ବେଳେ ସେ ଘଟଣା ପରେ ଫେରାର ହୋଇଯାଇଥିଲା । ପରେ ସେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ମେଡିକାଲ ଛକରେ ଥିବା ଓରାକଲ ମେଡିସିନ ଦୋକାନରେ ଗତ ୨୦୦୩ ଜୁଲାଇ ୪ ତାରିଖରେ ମାଲିକଙ୍କୁ ଖଣ୍ଡା ଦେଖାଇ ଟଙ୍କା ଲୁଟ୍‌ କରିଥିଲା। ପୋଲିସ ତାଙ୍କୁ ଗିରଫ କରିବା ପୂର୍ବରୁ ସେ ଖୋଡାସିଂ ଛାଡ଼ି ବାହାରକୁ ଚାଲିଯାଇଥିଲେ । ସେଠାରେ ସେ ନିଜ ନାମ ବଦଳାଇ ରହୁଥିଲେ । ପରେ କୋର୍ଟ ତରଫରୁ ତାଙ୍କ ନାମରେ ଜାମିନ ବିହୀନ ଗିରଫ ପରଓ୍ବାନା (ଏନ୍‌ବିଡବ୍ଲୁ) ୨୦୦୩ ମସିହାରେ ଜାରି ହୋଇଥିଲା । ବୈଦ୍ୟନାଥପୁର ପୋଲିସ ଅଭିଯୁକ୍ତ ହରିଙ୍କୁ ଏନବିଡ୍‌ବ୍ଲୁ ଜିଆର ୬୪୪/୦୩ ରେ ଘଟଣାର ୧୬ ବର୍ଷ ପରେ ଶନିବାର ରାତ୍ର ଗିରଫ କରିଥିଲା । ଜେରା ବେଳେ କବିସୂର୍ଯ୍ୟନଗର କାମଦେବଙ୍କ ହତ୍ୟା ମାମଲାରେ ହରି ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲା । ରବିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ସାରଦା ପ୍ରସନ୍ନ ଦାସ ସୂଚନା ଦେଇଛନ୍ତି ।