କବିସୂର୍ଯ୍ୟନଗର ବ୍ଲକ ପିଇଓ ନିଲମ୍ବିତ

ଛତ୍ରପୁର,୨ା୮(ଡି.ଏନ.ଏ.)- ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ପିଇଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ) ଡି. ସନ୍ତୋଷ ପ୍ରଧାନଙ୍କୁ ଗଞ୍ଜାମ ଜିଲାପାଳ ବୁଧବାର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ମଦ୍ୟପାନ କରି କବିସୂର୍ଯ୍ୟନଗର ବ୍ଲକ ପରିସରରେ ଗଣ୍ଡଗୋଳ କରିବା ଓ କର୍ମଚାରୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ତାଙ୍କୁ ନିଳମ୍ବନ କରାଯାଇଛି। ନିଲମ୍ବନ ପରେ ସେ ସଦରମହକୁମା ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରତିଦିନ ରିପୋର୍ଟ କରି କାର୍ଯ୍ୟଦିବସରେ ସେଠାରେ ଉପସ୍ଥାନ ଦର୍ଶାଇବେ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କୁ ଚାକିରୀ ସର୍ତ୍ତାବଳୀ ଓଡିଶା ସର୍ଭିସ କୋଡ ୧୯୬୨ ରୁଲ୍‌ ୯୦ ଅନୁଯାୟୀ ତାଙ୍କର ମାସିକ ଦେୟ ନିର୍ଦ୍ଧାରଣ ପୂର୍ବକ ପ୍ରଦାନ କରାଯିବ ବୋଲି ଜଣାପଡିଛି। ଏଥିସହ ତାଙ୍କ ବିରୋଧରେ ପୃଥକ୍‌ ପୃଥକ୍‌ ଡ୍ରାଫ୍‌ ଚାର୍ଜ ପ୍ରସ୍ତୁତ କରି ୭ ଦିନ ମଧ୍ୟରେ ଦାଖଲ କରିବାକୁ କବିସୂର୍ଯ୍ୟନଗର ବିଡିଓ ଓ ସୋରଡା ବିଡିଓଙ୍କୁ ଜିଲପାଳ ନିର୍ଦ୍ଦେଶ ଦେଇଛନ୍ତିି। ସୂୂଚନାଯୋଗ୍ୟ, ପୂର୍ବରୁ ସେ ସୋରଡା ବ୍ଲକ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।