Categories: ଜାତୀୟ

କମଲେଶ ହତ୍ୟାକାଣ୍ଡ: ୫ ଗିରଫ

ଲକ୍ଷ୍ନୌ,୨୦ା୧୦ : ଉତ୍ତରପ୍ରଦେଶର ହିନ୍ଦୁବାଦୀ ନେତା କମଲେଶ ତିଓ୍ବାରୀ ହତ୍ୟା ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଶୁକ୍ରବାର କମଲେଶଙ୍କୁ ତାଙ୍କ ଲକ୍ଷ୍ନୌ ଘରେ ହତ୍ୟା କରାଯାଇଥିଲା। କମଲେଶଙ୍କ ସ୍ତ୍ରୀ ଦେଇଥିବା ଏତଲା ଆଧାରରେ ଉତ୍ତରପ୍ରଦେଶର ବିଜନୁର ଜିଲାରୁ ୨ ଜଣ ଓ ଗୁଜରାଟର ସୁରଟରୁ ତିନିଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଓ.ପି. ସିଂ ସୂଚନା ଦେଇଛନ୍ତି। ଫେରାର ଥିବା ଅନ୍ୟ ଦୁଇଜଣଙ୍କୁ ଧରିବା ଲାଗି ପୋଲିସ ତନାଘନା ଚଳାଇଛି। ଗୁଜରାଟରୁ ଗିରଫ ତିନିଜଣ ହେଲେ ମୌଲାନା ମହସିନ ଶେଖ୍‌, ରଶିଦ ଅହମଦ ପଠାନ ଓ ଫୈଜାନ। ସେହିପରି ୟୁପିରୁ ଗିରଫ ଦୁଇଜଣ ହେଲେ ମୌଲାନା ଅନଓ୍ବର ଉଲ୍‌ ହକ୍‌ ଏବଂ ମୁଫ୍‌ତି ନଇମ୍‌ କଜ୍‌ମିନ। ରଶିଦ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ପୋଲିସ ବିଶ୍ୱାସ କରୁଛି। ହତ୍ୟାକାରୀ ମିଠା ପ୍ୟାକେଟ ନେଇ କମଲେଶଙ୍କ ଘରକୁ ଯାଇଥିଲେ। ଏହି ମିଠା ପ୍ୟାକେଟକୁ ଫୈଜାନ କିଣିଥିବା ଜଣାପଡିଛି। ତେବେ ଆକ୍ରମଣ ପଛରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ନ ଥିବା ଡିଜିପି କହିଛନ୍ତି। ୨୦୧୫ରେ କମଲେଶ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ମାନହାନିକାରକ ମନ୍ତବ୍ୟ ଦେଇଥିଲେ। ଏହା ହତ୍ୟାକାଣ୍ଡର କାରଣ ହୋଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ମିଠା ପ୍ୟାକେଟ ସୁରଟର ବୋଲି ସିସିଟିଭି ଫୁଟେଜ୍‌ରୁ ଜଣାପଡିବା ପରେ ଉତ୍ତରପ୍ରଦେଶ ପୋଲିସ ଗୁଜରାଟ ପୋଲିସର ସହାୟତା ଲୋଡିଥିଲା।
ହିନ୍ଦୁ ସମାଜ ପାର୍ଟି ନେତା କମଲେଶଙ୍କ ହତ୍ୟାକାରୀମାନଙ୍କୁ ଛଡ଼ାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିଶ୍ରୁତି ଦେଇଥିବାବେଳେ ଘଟଣାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଦ୍ୱାରା କରାଯିବା ଲାଗି ତାଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି। ସୁରକ୍ଷା କର୍ମୀ ଥାଇ କମଲେଶଙ୍କୁ ହତ୍ୟା କରାଯାଇଥିବାରୁ ଆମେ ପ୍ରଶାସନକୁ କିପରି ବିଶ୍ୱାସ କରିବୁ ବୋଲି ତାଙ୍କ ପୁଅ ସତ୍ୟମ ପ୍ରଶ୍ନ କରିଛନ୍ତି।

Share