ଚେନ୍ନାଇ,୨୦।୨: ସାଉଥ୍ ସୁପରଷ୍ଟାର କମଲ ହାସନଙ୍କ ଫିଲ୍ମ ଇଣ୍ଡିଆନ୍-୨ ଶୁଟିଂ ସେଟ୍ରେ ବଡ ଦୁର୍ଘଟଣା ଘଟିଛି। ଚେନ୍ନାଇର ଇଭିପି ଷ୍ଟୁଡିଓ ସେଟ୍ରେ ଲାଗିଥିବା କ୍ରେନ୍ କ୍ରାଶ୍ ହେବା ଫଳରେ ଫିଲ୍ମ ସହନିର୍ଦ୍ଦେଶକଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ଜଣ ଆହତ ହୋଇଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବୁଧବାର ବିଳମ୍ବିତ ରାତିରେ ଅଭିନେତା କମଲ ହାସଲ ହସ୍ପିଟାଲରେ ପହଞ୍ଚି ଆହତଙ୍କ ଅବସ୍ଥା ପଚାରି ବୁଝିଥିଲେ। ଦୁର୍ଘଟଣାବେଳେ କମଲ ମଧ୍ୟ ଶୁଟିଂ ସେଟରେ ଉପସ୍ଥିତ ଥିଲେ। ଦୁର୍ଘଟଣାରେ ସହ ନିର୍ଦ୍ଦେଶକ ଶଙ୍କରଙ୍କ ସହଯୋଗୀ ମଧୁ(୨୯), ସହନିର୍ଦ୍ଦେଶକ କୃଷ୍ଣା(୩୪) ଏବଂ ଜଣେ ଷ୍ଟାଫ୍ ଚନ୍ଦ୍ରନ(୬୦)ଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଶଙ୍କରଙ୍କ ନିର୍ଦ୍ଦେଶିତ ଫିଲ୍ମ ଇଣ୍ଡିଆନ୍-୨କୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ପୂର୍ବରୁ ଏହି ଫିଲ୍ମର ପୋଷ୍ଟର ରିଲିଜ୍ ହୋଇସାରିଛି।