Categories: ଜାତୀୟ

କମଳନାଥ ସରକାରଙ୍କୁ ଅପରେଶନ୍‌ ଲୋଟସ୍‌ ଭୟ: ୯ କଂଗ୍ରେସ ବିଧାୟକଙ୍କୁ ଭାଜପା ବନ୍ଧକ ରଖିଥିବା ଅଭିଯୋଗ

ଭୋପାଳ,୪।୩: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଳନାଥ ସରକାର ସଙ୍କଟରେ ପଡ଼ିଛନ୍ତି। ଭାଜପା କଂଗ୍ରେସର ୯ ଜଣ ବିଧାୟକଙ୍କୁ ବନ୍ଧକ ରଖିଥିବା ଅଭିଯୋଗ ହୋଇଛି। ରାଜ୍ୟରେ ଭାଜପା ପକ୍ଷରୁ ଅପରେଶନ୍‌ ଲୋଟସ୍‌ ଆରମ୍ଭ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। କଂଗ୍ରେସ ବିଧାୟକଙ୍କୁ ଗୁରୁଗାଓଁର ଆଇଟିସି ମରାଠା ହୋଟେଲରେ ରଖାଯାଇଥିବା କୁହାଯାଉଛି। ବିଧାୟକଙ୍କୁ କିଣିବା ପାଇଁ ୩୦ରୁ ୩୫ କୋଟି ଟଙ୍କା ପର୍ଯ୍ୟନ୍ତ ଟଙ୍କା ଦେବାକୁ ପ୍ରତିଶ୍ରୁତି ମିଳିଥିବା କଂଗ୍ରେସ ସଦସ୍ୟ ଜିତୁ ପଟଓ୍ବାରୀ ଅଭିଯୋଗ କରିଛନ୍ତି। ଏଭଳି କାର୍ଯ୍ୟ କରି ଭାଜପା ଗଣତନ୍ତ୍ରର ହତ୍ୟା କରୁଥିବା ସେ କହିଛନ୍ତି। ମଧ୍ୟପ୍ରଦେଶ ବିଧାନସଭାର ୨୩୦ ବିଧାୟକଙ୍କ ମଧ୍ୟରୁ କଂଗ୍ରେସ ପାଖରେ ୧୧୪ ଜଣ ବିଧାୟକ ରହିଛନ୍ତି। ସେହିପରି ଭାଜପା ପାଖରେ ୧୦୭ ବିଧାୟକ ଅଛନ୍ତି। ନିର୍ବାଚନ ପରେ ଏହି ସଂଖ୍ୟା ୧୦୯ ଥିଲେ ମଧ୍ୟ ବିଭିନ୍ନ କାରଣରୁ ୨ ବିଧାୟକ ଭାଜପାଠାରୁ ଦୂରେଇ ଯାଇଛନ୍ତି। ଏଠାରେ ସରକାର ଗଢ଼ିବା ପାଇଁ ୧୧୬ ବିଧାୟକଙ୍କ ସମର୍ଥନ ରହିବା ଜରୁରୀ। ୨୦୧୮ ବିଧାନସଭା ନିର୍ବାଚନ ପରେ ମ୍ୟାଜିକ୍‌ ନମ୍ବର ଜୁଟାଇବା ପାଇଁ କଂଗ୍ରେସ ୪ ନିର୍ଦ୍ଦଳୀୟ, ଏସ୍‌ପିର ଜଣେ ଏବଂ ବିଏସ୍‌ପିର ଜଣେ ବିଧାୟକଙ୍କ ସମର୍ଥନ ଲୋଡ଼ି ୧୨୦ ଆସନ ହାସଲ କରିଥିଲା। ଏବେ ଭାଜପା କଂଗ୍ରେସ ବିଧାୟକଙ୍କ ସହାୟତାରେ କମଳନାଥ ସରକାରଙ୍କୁ କ୍ଷମତାଚ୍ୟୁତ କରିବାର ଯୋଜନା କରୁଥିବା ଅଭିଯୋଗ ହୋଇଛି। ବିଏସ୍‌ପିର ୨ ବିଧାୟକ ଦଳରୁ ନିଲମ୍ବିତ ହୋଇଥିବାରୁ ଭାଜପା କଂଗ୍ରେସ ବିଧାୟକଙ୍କୁ ହାତେଇବାର ଉଦ୍ୟମ କରୁଥିବା କୁହାଯାଉଛି। ରାଜ୍ୟର ରାଜନୈତିକ ସ୍ଥିତି ନେଇ ଦିଗ୍‌ବିଜୟ ସିଂ ଏବଂ କମଳନାଥଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share