Categories: ମେଟ୍ରୋ

କମଳା, ଦୈତାରି, ଡି. ପ୍ରକାଶଙ୍କୁ ରୁଚି ଦେଶଜ୍ୟୋତି ସମ୍ମାନ

କଟକ ଅଫିସ,୨୧।୭: କଟକ ଶହୀଦଭବନଠାରେ ୨୩ତମ ରୁଚି ପ୍ରତିଭା ସମ୍ମାନ ସମାରୋହ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ରୁଚି ପ୍ରତିଭା ପାଉଣ୍ଡେଶନ ପକ୍ଷରୁ ଅନୁଷ୍ଠିତ ଏହି ସମାରୋହକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଉଦ୍‌ଘାଟନ କରି କହିଲେ, ପଥରକୁ ଯଦି ଆମେ ଭାଙ୍ଗିବା ତା’ହେଲେ ସେହି ଭଗ୍ନଅଂଶ ପଥର ଖଣ୍ଡରେ ଗଣାଯିବ। ଯଦି ଆମେ ସେହି ପଥରକୁ ମୂର୍ତ୍ତିରେ ପରିଣତ କରିବା ତା’ହେଲେ ସେ ପଥର ମୂଲ୍ୟ ଦୁର୍ମୂଲ୍ୟ ହୋଇଯିବ। ଏଥିରେ ଅନ୍ୟ ଅତିଥି ଭାବେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ ଯୋଗଦେଇ କହିଲେ, ପୁରସ୍କାରକୁ ଆଶା ନ କରି ଏମିତି କିଛି କରିବା ଦରକାର, ଯାହାପାଇଁ ତୁମକୁ ସାରା ସମାଜ ସମ୍ମାନ କରିବ। ଏଥିରେ ପୂର୍ବତନ ଆୟକର ମହାନିର୍ଦ୍ଦେଶକ ବିଧୁଭୂଷଣ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଏହି ସମାରୋହରେ ପଦ୍ମଶ୍ରୀ ପୁରସ୍କାର ପାଇଥିବା ୩ ଜଣଙ୍କୁ ରୁଚି ଦେଶଜ୍ୟୋତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ କମଳା ପୂଜାରୀ, ଦୈତାରି ନାଏକ ଓ ଡି. ପ୍ରକାଶ ରାଓ। ମାତ୍ର ଡି. ପ୍ରକାଶ ରାଓ ଅସୁସ୍ଥ ଥିବାରୁ ତାଙ୍କ ଅନୁପସ୍ଥିତିରେ ତାଙ୍କ ଭାଇ ଅତିଥିଙ୍କ ପାଖରୁ ପୁରସ୍କାର ଗ୍ରହଣ କରିଥିଲେ। ସେହିପରି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶା ଟପର ଅନ୍ୟା ଦାସଙ୍କୁ ରୁଚି ବିଦ୍ୟାସାଗର ସମ୍ମାନ, ଗଣମାଧ୍ୟମ ସଂସ୍ଥା ଉଦୟ ଇଣ୍ଡିଆର ସମ୍ପାଦକ ଦୀପକ କୁମାର ରଥଙ୍କୁ ରୁଚି ଗୋପବନ୍ଧୁ ସାମ୍ବାଦିକ ସମ୍ମାନ ଓ କ୍ରିକେଟ ତାରକା ରାଜେଶ ମହାନ୍ତିଙ୍କୁ ରୁଚି ବାରବାଟୀ କ୍ରୀଡା ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିସହ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଥିବା ଶିବ ପ୍ରସାଦ ପାଣି, ଯୁକ୍ତ ୨ ବିଜ୍ଞାନ ଟପ୍ପର ଭବାନୀ ଶଙ୍କର ପଟ୍ଟନାୟକ, ଯୁକ୍ତ ୨ ବାଣିଜ୍ୟ ଟପ୍ପର ଲକ୍ଷ୍ମୀ ଅଗ୍ରୱାଲ ଓ ଯୁକ୍ତ ୨ କଳା ଟପ୍ପର ଶିବାନୀ ପ୍ରିୟଦର୍ଶିନୀ ପତ୍ରୀଙ୍କୁ ରୁଚି ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଫାଉଣ୍ଡେଶନର ପୂର୍ବତନ ସଭାପତି ଶ୍ରଦ୍ଧାନନ୍ଦ ଜେନାଙ୍କୁ ମରଣୋତ୍ତର ରୁଚି ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ସମାରୋହରେ ଫାଉଣ୍ଡେଶନର ଅଧ୍ୟକ୍ଷ ଡ. ଶରତ କୁମାର ସାହୁ ସ୍ବାଗତ ଭାଷଣ ଓ ସମ୍ପାଦକ ଅରବିନ୍ଦ ସାହୁ ବିବରଣୀ ପ୍ରଦାନ କରିଥିଲେ। ଏଥିରେ ରୁଚିର ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ରଶ୍ମି ସାହୁ ଓ ସଲିନା ସାହୁ ଉପସ୍ଥିତ ଥିବାବେଳେ ଫାଉଣ୍ଡେଶନର ଯୁଗ୍ମ ସମ୍ପାଦକ ଶୁଭେନ୍ଦୁ କୁମାର ଭୁୟଁା ଧନ୍ୟବାଦ ଦେଇଥିଲେ।

Share